ପୁଣି ଅଶାନ୍ତ ମାଲକାନଗିରି ଛତିଶଗଡ ସୀମାନ୍ତ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଥମୁନି ମାଓ ଉପଦ୍ରବ। ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ପୁଣି ଗୁଳିବିନିମୟ ହୋଇଥିଲା ।ଆବୁଝାମାଡ଼ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଗୁଇନ୍ଦା ବିଭାଗ ଏନେଇ ଖବର ଦେବାପରେ ଆରମ୍ଭ ହୋଇଥିଲା କମ୍ୱିଂ ଅପରେସନ୍। DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।ଛତିଶଗଡର ନାରାୟଣପୁର ଏବଂ କାଙ୍କରେ ସୀମାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁର ଆବୁଜମାଡ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ଦୁଇ ମହିଳାଙ୍କ ସମେତ ମୋଟ ୧୦ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ବହୁ ପରିମାଣର ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ଏକ ଏକେ୪୭ ଅସ୍ତ୍ର ଜବତ କରାଯାଇଛି। ଛତିଶଗଡ ଏବଂ ମହାରାଷ୍ଟ୍ରର ସୀମାନ୍ତବର୍ତ୍ତୀ ଆବୁଜମାଡ, ଟେକମେଟା ଏବଂ କାଙ୍କରେ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା। ୧୫ ଦିନ ମଧ୍ୟରେ ନକ୍ସଲମାନଙ୍କ ଉପରେ ସୁରକ୍ଷା ବାହିନୀର ଏହା ହେଉଛି ଦ୍ୱିତୀୟ ପ୍ରମୁଖ ଷ୍ଟ୍ରାଇକ୍। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏହା ଏକ ନକ୍ସଲ ବିରୋଧୀ ଅପରେଶନ। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖାଯାଇଛି । ମୃତ ନକ୍ସଲମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।