ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣରେ ଗୁରୁତର ଆହତ ୨୬ଜଣ ଏବେ ମଧ୍ୟ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ଘଟଣାର ତିନି ଦିନ ପରେ ମଧ୍ୟ ରାଜ୍ୟ ସରକାର କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ପୁଲିସର ଚରମ ଅବହେଳା ଯୋଗୁଁ ଏତେବଡ଼ ଘଟଣା ଘଟିଥିବା ଅଭିଯୋଗ ହେଉଛି। ପୁଲିସ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶ୍ରୀଜୀଉଙ୍କ ଭଉଁରି ଯାତ୍ରାରେ ଆତସବାଜି ପ୍ରଦର୍ଶନ ପାଇଁ ଦୁଇ ଜଣ ବାଣୁଆଙ୍କୁ ନିୟୋଜିତ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ। ପ୍ରକୃତ ଦୋଷୀଙ୍କୁ ସୁରକ୍ଷା ଦେବା ପାଇଁ କେବଳ ଦୁଇ ଜଣ ବାଣୁଆଙ୍କ ନାମରେ କୁମ୍ଭାରପଡ଼ା ଥାନା ପୁଲିସ ମାମଲା ରୁଜୁ କରିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ କୌଣସି ବରିଷ୍ଠ ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀ ଏହି ଘଟଣାର ତଦନ୍ତ ପାଇଁ ଶନିବାର ସନ୍ଧ୍ୟା ସୁଦ୍ଧା ପୁରୀ ଆସି ନାହାନ୍ତି।