ଚୀନ୍ର ହାଙ୍ଗ୍ଜୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୧୦୦ତମ ପଦକ ଜିଣି ଭାରତୀୟ ଦଳ ତା’ର ଲକ୍ଷ୍ୟ ‘ଇସ୍ ବାର୍ ସୌ ପାର୍’ (ଏଥର ଏକଶହ ଟପିବ) ହାସଲ କରିଛି।ଶୁକ୍ରବାର ସୁଦ୍ଧା ୯୫ଟି ପଦକ ହାସଲ କରିଥିବା ଭାରତୀୟ ଦଳ ୧୦୦ଟି ପଦକ ପାଇବ ବୋଲି ଏକପ୍ରକାର ସୁନିଶ୍ଚିତ ଥିଲା। ତେଣୁ, ଆଜି ହାଙ୍ଗ୍ଜୌରେ ଭାରତୀୟ ଖେଳାଳିମାନଙ୍କ ପାଇଁ ଶେଷ ଦିନ ଥିବା ବେଳେ ତୀରଚାଳନାରେ ଭାରତ ୪ଟି ପଦକ ହାସଲ କଲା। ଏହା ପରେ ପରେ ଭାରତର ମହିଳା କବାଡ଼ି ଟିମ୍ ଚାଇନିଜ୍ ତାଇପେଇ ଉପରେ ବିଜୟ ହାସଲ କରି ଦେଶ ପାଇଁ ଔପଚାରିକ ଭାବେ ୧୦୦ତମ ପଦକ ଜିଣିଲା।
ଭାରତର ଏହି କୃତ୍ବିତ୍ବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ୍’ କରି ଲେଖିଛନ୍ତି: ଏସୀୟ କ୍ରୀଡ଼ାରେ ଭାରତ ନିମନ୍ତେ ଉଲ୍ଲେଖନୀୟ କୃତ୍ବିତ୍ବ। ନିର୍ଦ୍ଧାରିତ ଲକ୍ଷ୍ୟ ୧୦୦ଟି ପଦକ ହାସଲ କରିଥିବାରୁ ଭାରତବାସୀ ଉଲ୍ଲସିତ। ଆମର ଅସାଧାରଣ କ୍ରୀଡ଼ାବିତ୍, ଯେଉଁମାନଙ୍କ ଉଦ୍ୟମ ଭାରତକୁ ଏହି ସ୍ମରଣୀୟ କୃତ୍ବିତ୍ବ ଦିଗରେ ଅଗ୍ରସର କରାଇଲା, ସେମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଅକ୍ଟୋବର ୧୦ ତାରିଖ ଦିନ ଭାରତୀୟ ଦଳକୁ ଆପ୍ୟାୟିତ କରିବି।