ବଦଳିଲା ଅଯୋଧ୍ୟା ରେଲୱେ ଷ୍ଟେସନର ନାଁ । ଅଯୋଧ୍ୟା ଜଙ୍କସନରୁ ଏହାର ନାମକୁ ଅଯୋଧ୍ୟା ଧାମ ଜଙ୍କସନକୁ ବଦଳାଯାଇଛି । ଲୋକଙ୍କ ଆସ୍ଥା ଓ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ନାମ ପରିବର୍ତ୍ତନ ହୋଇଥିବା ଇଣ୍ଡିଆନ୍ ରେଲୱେ କନଫରେନ୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି ।ଏହାର ଆଲଫାବେଟିକ କୋଡ୍ ପୂର୍ବଭଳି ‘AY’ ହିଁ ରହିବ । ସୂଚନା ଯୋଗ୍ୟଯେ, ଉତ୍ତରପ୍ରଦେଶ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଏହି ରେଳ ଷ୍ଟେସନର ନବକଳେବର ହୋଇଛି । ଏହାକୁ ଆସନ୍ତା ୩୦ ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୧୦ହଜାର ବର୍ଗ ମିଟର ଜାଗାରେ ନିର୍ମିତ ଏହି ନୂଆ ଷ୍ଟେସନକୁ ରାମମନ୍ଦିରର ଭବ୍ୟ ରୂପ ସହ ଖାପ ଖାଇବା ଭଳି ଶୈଳୀରେ ତିଆରି କରାଯାଇଛି । ୨୦୧୮ରୁ ଏହାର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୪୦ କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ତିଆରି କରାଯାଇଛି ।