ଦୀର୍ଘ ସାଢ଼େଚାରି ମାସ ଧରି ପରିଚୟର ଅପେକ୍ଷାରେ କଣ୍ଟେନର ଭିତରେ ଏମ୍ସ ଶବସଂରକ୍ଷଣ ଗୃହରେ ପଡ଼ି ରହିଥିବା ବାହାନଗା ରେଳ ଦୁର୍ଘଟଣାର ଶିକାର ୨୮ପରିଚୟହୀନ ଶବକୁ ଆଜି ଦାହ କରାଯାଉଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହି କାମ ହୁଏତ ଶେଷ ହୋଇ ଯାଇଥିବ ଏବଂ ଏହି ୨୮ଟି ଶବ ପଛରେ ଥିବା ଜୀବନ କାହାଣୀ ଓ ରହସ୍ୟ ସବୁଦିନ ପାଇଁ ପୋଡ଼ି ପାଉଁଶ ହୋଇଯିବ। କିନ୍ତୁ ପରିଚୟହୀନ ଭାବେ ପରିବାର ଲୋକଙ୍କ ଉପସ୍ଥିତି ବିନା ଜଳି ଯାଇଥିବା ଏଇ ୨୮ଟି ଶବର ଜୁଇ ଆଲୁଅରେ ଆମ ବ୍ୟବସ୍ଥା ଓ ସାମାଜିକ ସ୍ଥିତିର ଏକାଧିକ ତ୍ରୁଟି ଜଳଜଳ ହୋଇ ସ୍ପଷ୍ଟ ଦିଶି ଯାଇଛି।ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ରେ ବିଏମ୍ସିର ସ୍ବତନ୍ତ୍ର ବାହନ ଜରିଆରେ କଣ୍ଟେନର ସହିତ ପ୍ରଥମ ୩ଟି ଶବକୁ ଏମ୍ସରୁ ଭରତପୁର ମଶାଣିକୁ ନିଆ ଯାଇଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜୁଇରେ ଶବ ରଖାଯାଇ ବିଧି ବ୍ୟବସ୍ଥା ଅନୁସାରେ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଛି। ଏହାପରେ ଗୋଟିଏ ପରେ ଶବ ବାହକ ଗାଡ଼ିରେ ଏମ୍ଏସରୁ ଭରତପୁର ମଣାଶିକୁ ଶବ ଅଣାଯାଉଥିଲା ଏବଂ ପୂର୍ଣ୍ଣ ସମ୍ମାନର ସହିତ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା। ବହୁଦିନ ଧରି ଫ୍ରିଜର୍ରେ ରଖା ଯାଇଥିବାରୁ ଶବରେ ସହଜରେ ନିଆଁ ଧରୁନଥିବା ସୂଚନା ମିଳିଛି। ସେଥିପାଇଁ ଲୁଣ ଓ କିରୋସିନ ବ୍ୟବହାର କରା ଯାଉଛି।
ଏମ୍ସ, ବିଏମ୍ସି, ରେଳବାଇ ଏବଂ ପୁଲିସ ସହାୟତାରେ ୮୧ଟି ଶବ ପରିବାର ଲୋକଙ୍କୁ ହସ୍ତାନ୍ତରିତ ହୋଇଥିଲା। ଡିଏନ୍ଏ ରିପୋର୍ଟ ପରେ ଆଉ ୫୩ ଶବଙ୍କୁ ତାଙ୍କ ପରିଜନ ଆସି ନେଇଗଲେ। କିନ୍ତୁ ୨୮ଶବ ରହିଗଲା, ଯାହାଙ୍କ ପରିଚୟ କିମ୍ବା ପରିଜନ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିଲା ନାହିଁ। ଏଥିସଂକ୍ରାନ୍ତରେ ବ୍ୟାପକ ପ୍ରଚାର-ପ୍ରସାର ପରେ ମଧ୍ୟ କୌଣସି ଲାଭ ହେଲାନାହିଁ। ତେବେ ଏମାନଙ୍କର ଡିଏନ୍ଏ ସଂଗହ କରି ରଖାଯାଇଛି। ପରବର୍ତ୍ତୀ ସମୟରେ କେହି ପରିଚୟ ପାଇଁ ଏହାକୁ ପରୀକ୍ଷା କରାଇ ପାରିବେ।
ତେବେ ପ୍ରଶ୍ନ ହେଉଛି, ଆଧାର ଓ ଅନ୍ୟ ଏକାଧିକ ପରିଚୟପତ୍ରର ଯୁଗରେ ୨୮ ଜଣ ଲୋକ ହଠାତ୍ ଉଭାନ ହୋଇଯିବା ସେମାନଙ୍କ ଜନ୍ମସ୍ଥାନର ପ୍ରଶାସନ କେମିତି ଜାଣି ପାରିଲାନି?