୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ବଂଶଲ ପୁଲିସ ମହାନିର୍ଦ୍ଦେଶକ ଭାବେ ଦୁଇବର୍ଷର କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ଶେଷ କରିବେ। ଆଗକୁ ସାଧାରଣ ନିର୍ବାଚନ ଥିଲେ ହେଁ, ରାଜ୍ୟ ସରକାର ପୁଲିସ ଡିଜିଙ୍କ କାର୍ଯ୍ୟକାଳ ଆଉ ବଢ଼ାଇବାକୁ ଚାହିଁନାହାନ୍ତି। ବଂଶଲ ଡିସେମ୍ବର ୩୧ ତାରିଖରେ ଅବସର ନେଉଥିବା ସଂପର୍କରେ ଗୃହ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ପରବର୍ତ୍ତୀ ଡିଜିପି କିଏ ହେବ, ସେ ନେଇ କଳ୍ପନାଜଳ୍ପନା ଜୋର ଧରିଛି।ଅବସର(୬୦ବର୍ଷ) ନେବାକୁ ମାତ୍ର ୬ମାସ ସମୟ ବାକି ଥିବା ବେଳେ ହିଁ ରାଜ୍ୟ ସରକାର ବଂଶଲଙ୍କୁ ୨ ବର୍ଷ ତଳେ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। ଏହା ପୂର୍ବରୁ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅର୍ଥାତ୍ ୧୯୯୪ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିଲେ। ଡିଜିପି ନିଯୁକ୍ତି ବେଳକୁ ବଂଶଲ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବ୍ୟୁରୋର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିଲେ। ଉଲ୍ଲେଖଥାଉକି, ନୂଆ ବର୍ଷରେ ଓଡ଼ିଶାରେ ନୂଆ ଡିଜିପି ନିଯୁକ୍ତ ହେବା ଏବେ ନିଶ୍ଚିତ ହୋଇଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ପୁଲିସ ଡିଜି ପାଇଁ ରାଜ୍ୟ ସରକାର ୭ ଜଣଙ୍କ ନାମ ତାଲିକା ପ୍ରସ୍ତୁତ କରିଛନ୍ତି।