ରାୟଗଡ଼ା: ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲା ନେଇ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟ ମଙ୍ଗଳବାର ବଡ଼ ଶୁଣାଣି କରୁଛନ୍ତି। ଏହି ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏନ୍ ଭାସ୍କରଙ୍କ ସମେତ ମୋଟ ୬ ଜଣଙ୍କ ନାଁରେ ଗିରଫ ପରୱାନା (ଏନ୍ବିଡବ୍ଲୁ୍ୟ) ଜାରି କରିଛନ୍ତି। ଅନ୍ୟମାନେ ହେଲେ ୱାଇ. ଭେଙ୍କଟ ରାଓ(କଣ୍ଡାବାବୁ), ଏନ୍ ଆଦିନାରାୟାନା, କେ.କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ ଓ ପେଦେନା ଦିଲୀପ କୁମାର। କୋର୍ଟ ସାକ୍ଷ୍ୟ ପ୍ରମାଣ ଓ ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଶୁଣାଣି କରିଛନ୍ତି।
ମାମଲାରୁ ଜଣାଯାଏ ଯେ, ୨୦୧୦ ଡିସେମ୍ବର ୧୫ ତାରିଖରେ ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିଲା। ମା’ ମଝିଘରିଆଣି ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକକୁ ଯାଉଥିବା କହି ଭାଗିରଥୀ ଘରୁ ଆସି ଆଉ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ତାଙ୍କ ବାଇକ ମନ୍ଦିର ନିକଟରୁ ପାଇଥିଲେ। କିନ୍ତୁ ଭାଗିରଥୀଙ୍କ କିଛି ଖୋଜ ଖବର ମିଳିନଥିଲା। ୧୭ ତାରିଖରେ ପରିବାର ଲୋକ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ୧୯ ତାରିଖରେ ଆନ୍ଧ୍ରପ୍ରଦେଶର କମରଡ଼ା ଡ୍ୟାମରୁ ଭାସମାନ ଅବସ୍ଥାରେ ଏକ ଶବ ଉଦ୍ଧାର ହୋଇଥିଲା। ଡିଏନଏ ଟେଷ୍ଟ ପରେ ଏହା ଭାଗିରଥୀଙ୍କ ବୋଲି ଜଣା ପଡିଥିଲା। ଭାଗିରଥୀଙ୍କ ମୃତ୍ୟୁକୁ ନେଇ ସେହି ସମୟରେ ଆଦିବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାମଲାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେବା ପରେ ରାଜ୍ୟ ସରକାର ୫ ଏପ୍ରିଲ ୨୦୧୧ ରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ଏହି ମାମଲା ଉପରୁ ପରଦା ହଟାଇ ପାରିନଥିବାରୁ ପରିବାର ଲୋକଙ୍କ ଭରସା ତୁଟିଯାଇଥିଲା। ତୁରନ୍ତ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ପରିବାର ଲୋକ ଦାବି କରିଥିଲେ।