କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତାଙ୍କୁ ମରଣୋତ୍ତୋର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତା ବୁଧବାର କର୍ପୂରୀ ଠାକୁରଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହି ଅବସରରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି । ତେବେ ସୂଚନାଯୋଗ୍ୟ ଯେ, ଜେଡିୟୁ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଦାବି କରିଥିଲା ।
ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ କରପୁରୀ ଠାକୁର ତାଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ଜଣାଶୁଣା। ସେ ଜଣେ ଦୁର୍ନୀତି ବିରୋଧୀ ନେତା ଭାବରେ ମଧ୍ୟ ପ୍ରସିଦ୍ଧ ଥିଲେ। ତାଙ୍କ ଶାସନ କାଳରେ କାର୍ଯ୍ୟକାରୀ ହୋଇଥିବା ଭୂମି ସଂସ୍କାର ଯୋଜନା ଓ ଶିକ୍ଷା ସଂସ୍କାର ଯୋଜନା ସମଗ୍ର ଦେଶରେ ବ୍ୟାପକ ପ୍ରଭାବ ପକାଇଥିଲା।
କର୍ପୂରୀ ଠାକୁର କିଏ ଥିଲେ?
କର୍ପୂରୀ ଠାକୁର ସମସ୍ତିପୁର ଜିଲ୍ଲାର ପିତାଉଜିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କରପୂରୀ ଠାକୁର ୧୯୪୦ ମସିହାରେ ପାଟନାରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ସେ ସମାଜବାଦର ମାର୍ଗ ବାଛିଥିଲେ। ୧୯୪୨ମସିହାରେ ସେ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ। ଏହି କାରଣରୁ ତାଙ୍କୁ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। କର୍ପୂରୀ ଠାକୁର ବିହାରର ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଏବଂ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।