ବିହାରର ଶାସକ ଦଳ ଜେଡିୟୁ (ଜନତା ଦଳ ୟୁନାଇଟେଡ) ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ମଧ୍ୟରେ ତିକ୍ତତା ଲାଗିରହିଛି। ଏହାରି ମଧ୍ୟରେ ନୂତନ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ବିଜେପି ପକ୍ଷକୁ ଯାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।ଦୁଇରୁ ତିନି ଦିନ ମଧ୍ୟରେ ଏହି ବିଷୟରେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂତ୍ରରୁ ଜାଣିବାକୁ ମିଳିଛି। ନୀତୀଶ କୁମାର ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟ ଜାରି ରଖିବେ।ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାର ତାଙ୍କ ଶାସକ ପାର୍ଟନର ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ ଇଣ୍ଡିଆ ବ୍ଲକ ସଦସ୍ୟ କଂଗ୍ରେସ ଉପରେ ରାଗିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ପୁଣିଥରେ ୟୁ-ଟର୍ଣ୍ଣ ମାରିପାରନ୍ତି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର। ସେ ଆର୍ଜେଡି କାନି ଛାଡି ବିଜେପି ସହ କରିପାରନ୍ତି ମେଣ୍ଟ। ଏଭଳି କିଛି ସମ୍ଭାନା ମଧ୍ୟରେ ଏବେ ବିହାର ରାଜନୀତି ସରଗରମ ରହିଛି। ଉଭୟ ଜେଡିୟୁ ଓ ଆରଜେଡି ନିଜ ନିଜ ବିଧାୟକ ଓ ନେତାମାନଙ୍କୁ ଡକାଇଛନ୍ତି। ସେହିପରି ବିଜେପି ମଧ୍ୟ ନିଜର ବିହାର ପଦାଧିକାରୀମାନଙ୍କୁ ଦିଲ୍ଲୀ ଡକାଇଛି।
ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଭାରତୀୟ ଜନତା ପାର୍ଟି ତଥା ବିଜେପି ନୀତୀଶ କୁମାରଙ୍କ ଘର ବାହୁଡାକୁ ମଞ୍ଜୁରୀ ଦେଇସାରିଛି। ଏଭଳି ସ୍ଥିତିରେ ନୀତୀଶ ବିହାର ବିଧାନସଭା ଭାଙ୍ଗି ପାରନ୍ତି ବୋଲି କୁହାଯାଇଛି। ବିଜେପି ନିଜର ସମସ୍ତ ବିଧାୟକଙ୍କୁ ପାଟନା ଡକାଇଥିବା ମଧ୍ୟ ସୂଚନା ମିଳିଛି।