ନବ ଉତ୍କଳର ଅନ୍ୟତମ ପୁରୋଧା କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ଆଜି ୧୦୮ ତମ ଜୟନ୍ତୀ । ଲୋକପ୍ରିୟ ଜନନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି ବିଜୁ ପଟ୍ଟନାୟକ । ତାଙ୍କର ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି ।ରେଭେନସା କଲେଜରେ ପାଠ ପଢୁଥିବା ବେଳେ ବିଜୁବାବୁଙ୍କୁ ପାଇଲଟ ହେବା ନିଶା ଘାରିଥିଲା । କଲେଜ ଛାଡି ସେ ପାଇଲଟ ପ୍ରଶିକ୍ଷଣ ନେଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭବେଳକୁ ତତ୍କାଳୀନ ବ୍ରିିଟିଶ ଇଣ୍ଡିଆର ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ ବିଜୁ ପଟ୍ଟନାୟକ । ଏୟାର ଟ୍ରାନ୍ସପୋର୍ଟ କମାଣ୍ଡ୍ର ମୁଖ୍ୟ ହୋଇଥିଲେ ବିଜୁ ବାବୁ । ପାଇଲଟ ଜୀବନର ଆଦ୍ୟ ଭାଗରେ ଜାତୀୟତାବାଦୀ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ ବିଜୁ ବାବୁ । ବ୍ରିଟିଶ ସରକାରଙ୍କ ଅଧିନରେ ବର୍ମାରେ କାର୍ଯ୍ୟରତ ଭାରତୀୟ ଯବାନଙ୍କୁ ଜାତୀୟତାବାଦୀ ଲିଫଲେଟ୍ ବାଂଟିବା ଅଭିଯୋଗରେ ଜେଲ୍ ବି ଯାଇଥିଲେ ବିଜୁ ବାବୁ ।ଏକ ଲଢୁଆ ପାଇଲଟ ଭାବେ ବିଜୁ ପଟ୍ଟନାୟକ ଭାରତ ସହ ଅନ୍ୟ କିଛି ଦେଶରେ ବି ସାହସୀ ଅପରେସନ ସଫଳତାର ସହ ସଂପାଦନ କରିଥିଲେ । ଏପରି ଏକ ଅଭିଯାନ ବେଳେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆ ନେତା ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍ ଶାସକଙ୍କ କବଳରୁ ରକ୍ଷା କରିଥିଲେ । ଆଉ ଏହି ଅଦମ୍ୟ ବୀରତ୍ୱ ଓ ସାହସିକତା ପାଇଁ ଇଣ୍ଡୋନେସିଆ ବିଜୁ ବାବୁଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲା ।
ଜଣେ ସଫଳ ଓ ପ୍ରଭାବଶାଳୀ ରାଜନେତା ଭାବେ ପରିଚିତ ହେବା ଆଗରୁ ବିଜୁବାବୁ ଥିଲେ ଜଣେ ସାହସୀ ପାଇଲଟ । ବିଜୁବାବୁଙ୍କ ରାଜନୀତି ସହ ତାଙ୍କ ପାଇଲଟ ଜୀବନ ସଂପର୍କରେ ଆଜି ବି ଚର୍ଚ୍ଚା ହୁଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଦେଶ ବିଭାଜନ ପରେ ୧୯୪୮ ମସିହାରେ ପାକିସ୍ତାନ ବିରୋଧରେ କାଶ୍ମୀର ଯୁଦ୍ଧ ବେଳେ ପାଇଲଟ ଭାବେ ଅଦମ୍ୟ ସାହସ ଓ ବୀରତା ପ୍ରଦର୍ଶନ ପାଇଁ ଆଜି ବିଜୁ ବାବୁଙ୍କୁ ମନେ ପକାଯାଏ । କୁହାଯାଏ ଯେ, ଯଦି ବିଜୁ ପଟ୍ଟନାୟକ ସାହସର ସହ ଭାରତୀୟ ସେନାର ଯବାନମାନଙ୍କୁ ଶ୍ରୀନଗରରେ ପହଂଚାଇ ନଥାନ୍ତେ, ତାହା ହେଲେ ଆଜି ବୋଧହୁଏ ଜାମ୍ମୁ ଓ କାଶ୍ମୀର ପାକିସ୍ତାନ କବଜାରେ ଥାଆନ୍ତା ।