ଜନ୍ମଦିନ କେକ୍ ନେଲା ଜୀବନ। ପଞ୍ଜାବ ପଟିଆଲାରେ ଅଭାବନୀୟ ଘଟଣା ଘଟିଛି।ଜନ୍ମଦିନର ସୁନ୍ଦର କେକ୍ କୁନି ଝିଅ ପାଇଁ ମୃତ୍ୟୁର କାରଣ ପାଲଟି ଯାଇଛି । ଜନ୍ମଦିନର ସବୁ ଖୁସି ମାତ୍ର କେଇଟା ମୁହୂର୍ତ୍ତରେ ଶୋକରେ ପରିଣତ ହୋଇଯାଇଛି । ହସ ଖୁସିରେ ଜନ୍ମଦିନ କେକ୍ କାଟି ଖୁସିରେ ଜନ୍ମଦିନ ମନାଉଥିବା ମାନବୀ ଏକଦମ ଚୁପ୍ ହୋଇଯାଇଛି । ଅନଲାଇନରେ ମଗାଇଥିବା ଜନ୍ମଦିନ କେକ୍ ଖାଇ ନାବାଳିକାଙ୍କର ମୃତ୍ୟୁ ଘଟିଛି। ୧୦ ବର୍ଷୀୟ ନାବାଳିକାର ମୃତ୍ୟୁ ଘଟିଥିବାବେଳେ ସାନ ଭଉଣୀକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷାକ୍ତୀକରଣରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।କେକ୍ ଖାଇବା ପରେ ମାନବୀ ଆଖି ବୁଜିଛି, ଏହାପରେ ଭାଇରାଲ ହେଉଛି ମାନବୀର ଶେଷ ଭିଡିଓ । ଯେଉଁଥିରେ ସେ ଖୁବ ଖୁସି ଆଉ ମଜା-ମସ୍ତିରେ କେକ୍ କାଟି ଜନ୍ମଦିନ ପାଳନ କରିବା ସହ ସମସ୍ତଙ୍କୁ କେକ୍ ଖୁଆଇଛି । ପଞ୍ଜାବରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଜନ୍ମଦିନରେ କେକ୍ କାଟି ଖାଇବା ପରେ ମାନବୀ ପ୍ରାଣ ହରାଇଥିବା ନେଇ ଦାବି କରିଛନ୍ତି ପରିବାର ଲୋକେ । ମାନବୀର ମୃତ୍ୟୁ ନେଇ ପରିବାର ଲୋକେ କହିଛନ୍ତି ଯେ, ମୃତ୍ୟୁର କିଛି ସମୟ ପୂର୍ବରୁ କେକ୍ ଖାଇ ଖୁସି ହେଉଥିଲା ମାନବୀ । କିନ୍ତୁ କେକ୍ ଖାଇବା ପରେ ହଠାତ୍ ତାର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ଏହାର କିଛି ଘଣ୍ଟା ପରେ ଶରୀର ମଧ୍ୟ ଥଣ୍ଡା ପଡ଼ି ଯାଇଥିଲା । ତେବେ ମାନବୀଙ୍କୁ ହସ୍ପିଟାଲ ନେବାରେ ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।ତେବେ ଏ ନେଇ ଏକ ମାମଲା ରୁଜୁ କରାଯାଇଛି । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନଥିବା ଅଭିଯୋଗ ହୋଇଛି । ଏହାବ୍ୟତୀତ ଅନଲାଇନରେ ମିଳୁଥିବା ଖାଦ୍ୟ ପ୍ରତି ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ଦେଖିବକାୁ ମିଳିଛି ।