ଭୁବନେଶ୍ୱର: ଆଜି ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ବର ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ଓଡିଶା ସ୍ୱାର୍ଥର ସୁରକ୍ଷା ସହ କେନ୍ଦ୍ର ଅବିଚାର ବିରୁଦ୍ଧରେ ଲଢେଇ ଜାରି ରଖିବ ବୋଲି କହିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ସେବା କରି ଚାଲିବ । ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ବିଜେଡି ଓଡିଶାର ଗୌରବ ପାଇଁ କାମ କରି ଚାଲିବ ବୋଲି କହିଛନ୍ତି ନବୀନ । ଏହା ସହିତ ବିଜେଡ଼ିର ପ୍ରତିଷ୍ଠା ଦିବସରେ ୨୦୨୪ ନିର୍ବାଚନ ପରାଜୟର କାରଣ କହିଲେ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ । ମୁଁ ଆଜି ତାର ଉତ୍ତର ଦେବି । ମୁଁ କହିବି ଆମେ ହାରି ନାହୁଁ । ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍ ଭୋଟ୍ ପାଇଛି ।
ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛର ଠିକ୍ ଭାବରେ କାଉଣ୍ଟର କରିପାରିଲୁ ନାହିଁ । ସେମାନଙ୍କ Negative campaign ଓ Social Media ରେ False narratives ର ଠିକ୍ ଭାବରେ ଆମେ କାଉଣ୍ଟର କରିପାରିଲୁ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଓଡିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି । ତେଣୁ କର୍ମୀ ଭାଇ ଭଉଣୀ ମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ରହି ବିଜେପିର ଫଲ୍ସ ନ୍ୟାରେଟିଭ୍ର ଉଚିତ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।
ବର୍ତ୍ତମାନ ଓଡିଶାରେ ଚାଲିଥିବା ସରକାର ବିଷୟରେ ନବୀନ ପଟ୍ଟନାୟକ କହିଥିଲେ ଯେ, ଗତ ୬ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମା’ ମାନେ ଦୁଃଖ ରେ ଅଛନ୍ତି । ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ? ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ନିନ୍ଦୁକ ମାନଙ୍କୁ କଡା ଜବାବ ଦେଇ ନବୀନ ପଟ୍ଟନାୟକ କହିଥିଲେ, ୧୯୯୭ରେ ଆମ ଦଳ ଗଠନ ବେଳେ ଯେମିତି କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ । ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ, ଏ ଦଳର ଭବିଷ୍ୟତ ନାହିଁ । ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜଳ ଭବିଷ୍ୟତ ରହିଛି । ଓଡିଶାବାସୀଙ୍କ ଭାବାବେଗ ସହ ବିଜୁ ଜନତା ଦଳ ଯୋଡି ହୋଇ ରହିଛି । ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି । ଓଡିଶାର ପରିଚୟକୁ ଉଜ୍ଜଳ କରିଛି ବିଜୁ ଜନତା ଦଳ । ଓଡିଶାର ହକ୍ ପାଇଁ ଲଢୁଥିବା ଦଳ ହେଉଛି ବିଜୁ ଜନତା ଦଳ । ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ଭିତ୍ତି ପକାଇଛି ବିଜୁ ଜନତା ଦଳ । ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହି ଯାଇଛି ବିଜୁ ଜନତା ଦଳ ଓ ଶଙ୍ଖ ଚିହ୍ନ ।