ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଭାଷଣ ଦେଇଛନ୍ତି । ଏହାରି ମଧ୍ୟରେ ସେ ହିନ୍ଦୁ ସମାଜକୁ ହିଂସା ସହ ଯୋଡି ଏପରି କଥା କହିଛନ୍ତି ଯେ, ଉତ୍ତେଜନା ସୃଷ୍ଟି ହୋଇଛି।ଲୋକସଭାରେ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ରାହୁଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହାଁମୁହିଁ ହୋଇଛନ୍ତି। ଧର୍ମ ଓ ସମ୍ବିଧାନ ସଂପର୍କରେ ମନ୍ତବ୍ୟକୁ ନେଇ ରାହୁଲଙ୍କ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଗକୁ ଆସିଥିଲେ। ରାହୁଲ ହିନ୍ଦୁ ଧର୍ମକୁ ଅପମାନିତ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ। ରାହୁଲ ତାଙ୍କ ଉଦ୍ବୋଧନରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ। ରାହୁଲଙ୍କ ମନ୍ତବ୍ୟକୁ ବିରୋଧ କରି ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଆଜି ବାଚସ୍ପତିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ହିନ୍ଦୁସ୍ତାନର ଇତିହାସରେ ତିନୋଟି ମୌଳିକ ବିଚାର ରହିଛି । ମୋଦୀ ନିଜ ଭାଷଣରେ ଗୋଟିଏ ଦିନ କହିଥିଲେ ଯେ, ହିନ୍ଦୁସ୍ତାନ କାହା ଉପରେ ଆକ୍ରମଣ କରିନାହିଁ, କାରଣ ଏହି ଦେଶ ଅହିଂସାର ଦେଶ ଅଟେ । ଏହି ଦେଶ ଡରୁଥିବା ଦେଶ ନୁହେଁ । ଆମ ସମସ୍ତ ମହାପୁରୁଷମାନେ ଅହିଂସା କଥା କହିଛନ୍ତି । ଡରକୁ କିପରି ଛାଡିବାକୁ ହେବ ସେହି ବିଷୟରେ କହିଛନ୍ତି । ଅନ୍ୟ ପକ୍ଷରେ ଶିବାଜୀ କହିଛନ୍ତି ଯେ, ଡରନି, ଡରାଅନି, ଅଭୟ ମୁଦ୍ରା ଦେଖାନ୍ତି । ଅହିଂସା କଥା କୁହନ୍ତି । ତ୍ରିଶୁଳକୁ ଭୂମିରେ ପୋତି ଦିଅନ୍ତି । ଯେଉଁ ଲୋକ ନିଜକୁ ନିଜେ ହିନ୍ଦୁ କୁହନ୍ତି ସେମାନେ ୨୪ ଘଣ୍ଟା ହିଂସା. ହିଂସା, ହିଂସା । ଘୃଣା-ଘୃଣା-ଘୃଣା । ଅସତ୍ୟ-ଅସତ୍ୟ-ଅସତ୍ୟ । ଆପଣ ହିନ୍ଦୁ ହିନ୍ଦୁ ହିଁ ନୁହନ୍ତି ।’ ରାହୁଲ ଗାନ୍ଧୀଙ୍କ ଏପରି କହିବା ପରେ ବିରୋଧୀ ଦଳର ସାଂସଦ ଉତ୍ତ୍ୟକ୍ତ ହୋଇ ଛିଡା ହୋଇଗଲେ ଏବଂ ଆପତ୍ତି କରିବା ଆରମ୍ଭ କଲେ ।