ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ଓଡ଼ିଶାରେ ଫାଙ୍କା ପଡିଥିବା ଆସନ ପାଇଁ ଅଶ୍ୱିନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପିର କେନ୍ଦ୍ରୀୟ କମିଟି ପକ୍ଷରୁ ଅଶ୍ୱିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ପୂର୍ବରୁ ବିଜେଡି ୨ ଜଣ ରାଜ୍ୟସଭା ପ୍ରାର୍ଥୀ ନାଁ ଘୋଷଣା କରିଥିଲା । ଉଭୟ ଦେବାଶିଷ ଓ ଶୁଭାଶିଷ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । କିନ୍ତୁ ତୃତୀୟ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲା ଦଳ । ତେଣୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସ ଲାଗି ରହିଥିଲା । ଅନ୍ୟପଟେ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିବା ପରେ ଏବେ ପୁରୁଣା ଇତିହାସର ପୁନରାବୃତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅଥାର୍ତ ପୁଣିଥରେ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ । ତେବେ ଅଶ୍ୱିନୀଙ୍କୁ ସମର୍ଥନ ନେଇ ବିଜେଡି ପକ୍ଷରୁ ଏଯାଏଁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ ।ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିଲା । ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱ ଦାବିଦାର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ଯାହାକି ଏବେ ସତ ହୋଇଛି । ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ଏହା ପୂର୍ବରୁ ୨୦୧୯ରେ ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆଉ ବର୍ତ୍ତମାନ ୨୦୨୪ରେ ମଧ୍ୟ ଅଶ୍ୱିନୀଙ୍କୁ ରିପିଟ୍ କରାଯାଉଛି ।