ପ୍ରଥମେ ‘ଦମନ’ ପରେ ‘ପ୍ରତୀକ୍ଷା’ ଓ ଏବେ ‘ପୁଷ୍ମରା’ର ସଫଳତା ପୁଣି ଥରେ ଓଡ଼ିଆ ଫିଲ୍ମର ହଜିଥିବା ଚମକ କିଛିଟା ଫେରି ଆସିଛି। ଫଳରେ କିଛି ବର୍ଷର ବ୍ୟବଧାନରେ ଦଶହରା ମଇଦାନକୁ ଓହ୍ଲାଇଛି ୩ ବିଗ୍ ବଜେଟ୍ ଓଡ଼ିଆ ଫିଲ୍ମ। ତେଣୁ ଏଥର ଦଶହରା ଲଢ଼େଇ ରୋଚକ ହେବ।
କାରଣ ଓଲିଉଡ୍ ମହାନାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ମୁହାଁମୁହିଁ ହେବେ ଦୁଇ ସୁପରଷ୍ଟାର ଅରିନ୍ଦମ ଓ ବାବୁଶାନ। ପରଦାକୁ ଆସୁଛି ସିଦ୍ଧାନ୍ତଙ୍କ ‘କଟକ: ଶେଷରୁ ଆରମ୍ଭ’, ଅରିନ୍ଦମଙ୍କ ‘ରାମ୍’ ଏବଂ ବାବୁଶାନ୍ ଓ ଅମ୍ଲାନ୍ ଯୋଡ଼ିର ‘ମାଲ୍ୟାଗିରି: କାହାଣୀର ଆରମ୍ଭ’। ଗୋଟିଏ ପଟେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କ ସୁପରହିଟ୍ ଯୋଡ଼ି। ଓ ଅନ୍ୟପଟେ ହାଣ୍ଡ୍ସମ୍ ଆକ୍ସନ ତାରକା ଅରିନ୍ଦମ ଆସୁଛନ୍ତି ତାଙ୍କ ହୋମ୍ ବ୍ୟାନର୍ ରତ୍ନା ଫିଲ୍ମସ୍ର ଫିଲ୍ମ ‘ରାମ୍’ ଜରିଆରେ।ଯେଉଁଥିରେ ଅନୁଭବ ମହାନ୍ତି ମଧ୍ୟ ଏକ ଛୋଟ ଭୂମିକାରେ ଅଛନ୍ତି।
ତା ସହିତ ବାବୁସାନ ଓ ଅମ୍ଳାନଙ୍କ ଦମଦାର ଆକ୍ସନ ସାଙ୍ଗକୁ ଓଲିଉଡ୍ର ଚୁଲବୁଲି ନାୟିକା ଶିବାନୀ ସଙ୍ଗୀତା ଓ ସୂର୍ଯ୍ୟମୟୀଙ୍କୁ ଦେଖିବାକୁ ମିଳିବ ରିଲିଜ ହୋଇଯାଇଥିବା ମାଲ୍ୟଗିରି ଚଳଚିତ୍ରରେ । ଏଥିରେ ଏକ ଆଇଟମ୍ ଗୀତ ‘ଧୂଳିଆ ଜନ୍ଦା…’ରେ ଏଲିନାଙ୍କ ଦମଦାର ନୃତ୍ୟ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ତେବେ ଏହି ତିନୋଟି ଚଳଚିତ୍ର ମଧ୍ୟରେ କାହାକୁ ମିଳିବ ଦର୍ଶକଙ୍କର ଅଧିକ ଭଲ ପାଇବା ତାହା ଦେଖିବା ଏଥର ଦଶହରା ପୂଜାରେ…