ଅକ୍ଟୋବର ମାସରୁ ମଶାଙ୍କ ପ୍ରଜନନ ସମୟ ଆରମ୍ଭ ହୋଇଥାଏ। ସ୍ଥିରପାଣିରେ ଲାର୍ଭା ସୃଷ୍ଟି ହେବାପରେ ମଶା ହୋଇ ଜନବସତି ଆଡ଼କୁ ମାଡ଼ି ଆସିଥାନ୍ତି ଓ ନାନା କୀଟବାହକ ରୋଗ ସୃଷ୍ଟି କରିଥାନ୍ତି। ଏହି ସମୟରୁ ଲାର୍ଭାକୁ ମାରିଦେଲେ ମଶାଙ୍କ ଉତ୍ପାତ ରହିବ ନାହିଁ। କିନ୍ତୁ ବିଏମ୍ସି ଏଥିପ୍ରତି ତତ୍ପର ହୋଇନଥିବାରୁ ଗତବର୍ଷ ମଶା ଉତ୍ପାତ କରିବା ସହ ବିଏମ୍ସି ମଶା ଦମନ ଆଳରେ ପାଣିଭଳି ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପରେ ବିଏମ୍ସି ବେଳହୁଁ ସାବଧାନ ହୋଇଛି। ଅନେକ ବର୍ଷର ବ୍ୟବଧାନ ପରେ ବିଏମ୍ସି ଅଞ୍ଚଳର ୪ଟି ନାଳରେ ଗଙ୍ଗୁସିଆ ମାଛ ଛଡ଼ା ଯାଇଛି। ଫାଇଲେରିଆ ଇନ୍ସ୍ପେକ୍ଟରମାନେ ସହରରେ ୧୭୫ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଛନ୍ତି। ଗଙ୍ଗୁସିଆ ମାଛମାନେ ମଶାଙ୍କ ଲାର୍ଭାକୁ ଖାଇବେ ବା ଲାର୍ଭା ମଶାହୋଇ ଉଡ଼ିଯିବାକୁ ସୁଯୋଗ ପାଇବନି। ଏହି ଉଦ୍ଦେଶ୍ୟରେ ମାଛ ଛଡ଼ା ଯାଇଛି। ଏବେ ନିୟମିତ ଭାବରେ ଏହିସବୁ ଜାଗାରେ ମାଛ ଛଡ଼ାଯିବ। ସମସ୍ତ ସମ୍ବେଦନଶୀଳ ଜାଗାରେ ମାଛ ଛଡ଼ା ଯିବାପରେ ପ୍ରତ୍ୟେକ ଜାଗା ଉପରେ ନିୟମିତ ନଜର ରଖାଯିବ। ମାଛଗୁଡ଼ିକ ଯେଭଳି ଶତ ପ୍ରତିଶତ ବଞ୍ଚିବେ, ସେ ନେଇ ବ୍ୟବସ୍ଥା ହେବ। ଫଳରେ ମଶାଙ୍କ ସଂଖ୍ୟା କମିବ ବୋଲି ବିଏମ୍ସି ଆଶା କରିଛି। କିନ୍ତୁ ଅନେକ ନଳାରେ ପାଣି ରହୁନଥିବାରୁ ଏହି ମାଛ ଛାଡ଼ିବା ସମ୍ଭବ ହୋଇନାହିଁ। ଯେଉଁ ଜାଗାରେ ମାଛ ଛଡ଼ା ଯାଇ ପାରିନାହିଁ କିନ୍ତୁ ସମ୍ବେଦନଶୀଳ, ସେଠାରେ ନିୟମିତ ଲାର୍ଭିସାଇଡ୍ ପକାଇବା ପାଇଁ ଯୋଜନା ହୋଇଛି।