ଇଣ୍ଡିଗୋ ବିମାନରେ ବୋମା ଧମକ । ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟକୁ ବୋମା ପକାଇ ଉଡାଇଦେବା ଧମକ ମିଳିଛି । ଏହା ପରେ ତୁରନ୍ତ ବିମାନଟି ରନୱେରେ ଅଟକ ରଖାଯାଇ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ଭୋର୍ ପ୍ରାୟ ୫.୪ ବେଳକୁ ଏକ ଫୋନ୍ କଲ୍ ଆସିଲା ଯେ ବିମାନ ମଧ୍ୟରେ ବୋମା ଅଛି। ଏହାବ୍ୟତୀତ ବିମାନ ମଧ୍ୟରେ ୩୦ ମିନିଟ୍ ମଧ୍ୟରେ ବିସ୍ଫୋରଣ ଘଟିବ ବୋଲି ଲେଖାଥିବା ଏକ କାଗଜକୁ ପାଇଲଟ୍ ପାଇଥିଲେ। ଧମକ ମିଳିବା ପରେ ବିମାନକୁ ଯାଞ୍ଚ କରିବାକୁ ଅଧିକାରୀମାନେ ଲାଗି ପଡ଼ିଥିଲେ। ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣର କିଛି ମିନିଟ୍ ପୂର୍ବରୁ ରନୱେରେ ଅଟକି ଯାଇଥିଲା। ସେହି ସମୟରେ ଏକ ଫୋନ୍ କଲ୍ ସଭିଙ୍କୁ ଡରାଇ ଦେଲା। ବିମାନକୁ ସକାଳ ୫ଟା ୪ ମିନିଟରେ ଦିଲ୍ଲୀର ଟି୨ ଟର୍ମିନାଲରୁ ବନାରସ ପାଇଁ ଟେକଅଫ କରିବାକୁ ଥିଲା । ହେଲେ ବୋମା ବିସ୍ଫୋରଣର ଧମକ ମିଳିବା ପରେ ଯାତ୍ରୀମାନଙ୍କୁ ବାହାରକୁ ବାହାର କରାଯାଇଥିଲା । ଏହାପରେ ଫ୍ଲାଇଟରେ ଯାଞ୍ଚ ପାଇଁ ଏୟାରପୋର୍ଟରେ ଆଇସୋଲେସନକୁ ନିଆଯାଇଥିଲା । ଘଟଣାସ୍ଥଳରେ ବୋମା ସ୍କ୍ୱାଡ ଟିମ ଏବଂ ସିଆଇଏସଏଫକୁ ଡକା ଯାଇଥିଲା । ଫ୍ଲାଇଟର ଯାଞ୍ଚ କରିବା ପରେ ଅଧିକାରୀମାନେ କହିଛନ୍ତି ଯେ, ଏହା ଗୁଜବ ଥିଲା ।