ନୂଆଦିଲ୍ଲୀ: ବୋୖଦ୍ଧ ଧର୍ମାବଲମ୍ବୀ ମାନେ ବୁଦ୍ଧ ପୁର୍ଣିମା ପାଳନ କରୁଛନ୍ତି । ମାନ୍ୟତା ରହିଛିକି ବୈଶାଖ ପୂର୍ଣ୍ଣମୀ ଦିନ ବୌଦ୍ଧ ଧର୍ମର ସଂସ୍ଥାପକ ମହାତ୍ମା ବୁଦ୍ଧଙ୍କର ଜନ୍ମ ହୋଇଥିଲା । ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ମେ ମାସରେ ପଡୁଥିବା ପୂର୍ଣ୍ଣମୀକୁ “ବୁଦ୍ଧ ପୂର୍ଣ୍ଣମୀ” ଭାବେ ପାଳନ କରାଯାଏ । ଶାସ୍ତ୍ର ମୁତାବକ ବୈଶାଖ ପୂର୍ଣ୍ଣମୀର ଅନେକ ମହତ୍ତ୍ୱ ରହିଛି ।
କିଏ ଥିଲେ ମହାତ୍ମା ବୁଦ୍ଧ:
ଗୌତମ ବୁଦ୍ଧଙ୍କ ଜନ୍ମ ୬୨୩ ଖ୍ରୀଷ୍ଟ ପୂର୍ବରେ ହୋଇଥିଲା । ପିଲାବେଳେ ପିତାମାତା ତାଙ୍କ ନାଁ ସିଦ୍ଧାର୍ଥ ଦେଇଥିଲେ । ନେପାଳର ଲୁମ୍ବିନି ଗାଁରେ ହୋଇଥିଲା ତାଙ୍କ ଜନ୍ମ । ଜନ୍ମର ମାତ୍ର ୭ ଦିନ ପରେ ହିଁ ବୁଦ୍ଧଙ୍କ ମା ଇହଧାମ ତ୍ୟାଗ କରିଥିଲେ । ମା’ଙ୍କ ମୃତ୍ୟୁ ପରେ ତାଙ୍କ ମାଉସୀ ଗୌତମୀ ତାଙ୍କ ଲାଳନପାଳନ କରିଥିଲେ । ସେ ଗୁରୁ ବିଶ୍ଵାମିତ୍ରଙ୍କ ଠାରୁ ଉପନିଷଦ, ରାଜକାର୍ୟ୍ୟ ତଥା ଯୁଦ୍ଧବିଦ୍ୟା ଆଦି ଶିକ୍ଷାଗ୍ରହଣ କରିଥିଲେ । ସମାଜରେ ତଥା ନିଜ ଭିତରେ ପରିବର୍ତ୍ତନ ଆଣିବା ପାଇଁ କିଛି ଖାସ ଉପଦେଶ ଦେଇଛନ୍ତି ମହାତ୍ମା ବୁଦ୍ଧ . ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳ ମଧ୍ୟରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା । ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ଯଥା, ପଶ୍ଚିମରେ ଗ୍ରୀସ ଦେଶଠାରୁ ପୂର୍ବରେ ବ୍ରହ୍ମଦେଶ (ବର୍ତ୍ତମାନର ମିଆଁମାର) ଏବଂ ଦକ୍ଷିଣରେ ସିଂହଳ (ବର୍ତ୍ତମାନର ଶ୍ରୀଲଙ୍କା) ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣ ବଂଶର ଶ୍ରେଷ୍ଠ ସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ ଚୀନ, ତିବ୍ୱତ, ଜାପାନ ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ କନୌଜର ରାଜା ହର୍ଷବର୍ଦ୍ଧନଙ୍କ ସାହାଯ୍ୟରେ ବୌଦ୍ଧଧର୍ମ ବିଶେଷ ଅଗ୍ରଗତି ଲାଭ କରିଥିଲା । ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ ପୃଥିବୀର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା ।ପ୍ରାଚୀନ ରାଜା ମହାରାଜାମାନଙ୍କଦ୍ୱାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ, ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତି ଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିଲା, ଯାହା ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା । ସମ୍ରାଟ ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ ।