ପାରାଦୀପ: ପାରାଦୀପରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାରାଦୀପକୁ ଆଧାର କରି ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏଠାକୁ ଆହୁରି ଅନେକ ଶିଳ୍ପ ଆସିବ ଓ ଅନେକ ଯୁବକ ଯୁବତୀ ନିଯୁକ୍ତି ପାଇବେ ବୋଲି ଆଜି ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।
ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡିଶାରେ ଶିଳ୍ପ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ଜିଡିପିରେ ଆମ ରାଜ୍ୟ ସାରା ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପାରାଦୀପ ବନ୍ଦର ଏହି ପ୍ରଗତିର ମୁଖଶାଳା ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୁକ୍ରବାର ସକାଳ ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ପାରାଦୀପ ବନ୍ଦର ପରିସରରେ ପହଞ୍ଚି ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରିବା ସହ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ଏହି ଉତ୍ସବ ଏକ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ ।