ଭୁବନେଶ୍ବର: ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସେ ସିଙ୍ଗାପୁର ଗସ୍ତରେ ଯିବେ। ଉତ୍କର୍ଷ ଓଡ଼ିଶା, ମେକଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ସେଠାରେ ହେବ ରୋଡ୍ ଶୋ’। ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ରେ ଯୋଗଦେବା ସହ ନିବେଶକଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସିଙ୍ଗାପୁର ଗସ୍ତରେ ଯିବେ।
ସୂଚନାଯୋଗ୍ୟ, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ଆସନ୍ତା ଜାନୁଆରି ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତମାସ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ରୋଡ୍ ସୋ’ ଆୟୋଜନ କରାଯାଇଛି। ଏହି ଦୁଇ ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ଅନେକ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟିଛନ୍ତି। ଶ୍ରୀ ମାଝୀ ମୁମ୍ବାଇରେ ରିଲାନ୍ସ ବୋର୍ଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନି, ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଗୋଦ୍ରେଜ୍ ଅଧ୍ୟକ୍ଷ ନାଦିର ଗୋଦରେଜ୍, ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ରବି ଗୋଏଙ୍କା, ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ମୁଖ୍ୟ ସଜ୍ଜନ ଜିନ୍ଦଲ, ୱେଲସ୍ପନର ବିଜୟ ଗୋଏଙ୍କା ଓ ବାଳକୃଷ୍ଣ ଗୋଏଙ୍କାଙ୍କୁ ଭେଟିଥିଲେ।
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ପାଇଁ ବିଶିଷ୍ଟ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭେଟିବା ଦ୍ବାରା କେନ୍ଦୁଝର ଜିଲ୍ଲାରେ ଜେଏସ୍ଡବ୍ଲ୍ୟୁ-ପୋସ୍କୋର ମିଳିତ ସହଯୋଗରେ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବାର ଆଶା ଦେଖାଯାଇଛି, ଯାହା କି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନକ ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।