ଭୁବନେଶ୍ୱର: ସୁରକ୍ଷିତ… ଘରକୁ ଫେରନ୍ତୁ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସ୍ଲୋଗାନ ଦେଇଛନ୍ତି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷାକୁ ଏକ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ସଚେତନତା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ମାସ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟସ୍ତରୀୟ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପତାକା ଦେଖାଇ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କରିଥିଲେ। ପ୍ରତି ଜିଲ୍ଲାରେ ଏଭଳି ସଚେତନତା ରଥ ମାସ ବ୍ୟାପୀ ପରିକ୍ରମା କରିବ। ସଡ଼କ ସୁରକ୍ଷା ସଂପର୍କିତ ବିଭିନ୍ନ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହେବ।