କେନ୍ଦ୍ର ସରକାରଙ୍କର ‘ସାଗରମାଳା’ ପ୍ରକଳ୍ପରେ ସାମିଲ୍ ହେବାକୁ ଯାଉଛି ଚିଲିକା ହ୍ରଦ। ଏହି ପ୍ରକଳ୍ପରେ ସାତପଡ଼ାରୁ ଜହ୍ନିକୁଦାକୁ ଥିବା ପୁରୁଣା ଚ୍ୟାନେଲ୍କୁ କେବଳ ଖନନ କରାଯିବାକୁ ନିଷ୍ପତ୍ତି ହୋଇନାହିଁ, ବରଂ ଏ ଚ୍ୟାନେଲ୍ରେ ଦୁଇ ଗୋଟି ନୂଆ ଫେରି ଚଳାଇବାକୁ ବି ନିଷ୍ପତ୍ତି ହୋଇଛି। ଏ ପ୍ରକଳ୍ପ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ(ସିଡିଏ) ଡିପିଆର୍କୁ ମଞ୍ଜୁରି ମିଳିସାରିଛି। ଟଙ୍କା ଆସିଲେ ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ସିଡିଏ ସୂତ୍ରରୁ ସ୍ପଷ୍ଟ ହୋଇଛି। ତଥ୍ୟ ମୁତାବକ, ଜହ୍ନିପଡ଼ାରୁ ସାତପଡ଼ାର ଦୂରତା ହେଉଛି ସାଢ଼େ ଚାରି କିଲୋମିଟର।୨୦୦୨ ମସିହାଠାରୁ ସିଡିଏ କର୍ତ୍ତୃପକ୍ଷ ଏହି ଜଳପଥ ଦେଇ ଫେରି ଚଳାଚଳ କରୁଛନ୍ତି। ବିଭାଗ ଯଦିଓ ଏ ଜଳପଥରେ ଦୁଇ ଗୋଟି ଛୋଟ ଆକାରର ଫେରି ଚଳାଚଳ କରାଉଛି, କିନ୍ତୁ ସଂକୀର୍ଣ୍ଣ ଜଳପଥରେ ଛୋଟିଆ ଫେରି ସ୍ଥାନୀୟ ଲୋକଙ୍କ ପାଇଁ ଯଥେଷ୍ଟ ହୋଇପାରୁନାହିଁ। ତେଣୁ କେନ୍ଦ୍ର ସରକାରଙ୍କର ସାଗରମାଳା ପ୍ରକଳ୍ପରେ ଏହି ଜଳପଥର ବିକାଶ କରାଯିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।
ଜଳପଥ ବଡ଼ ହେଲେ, ଫେରି ଚଳାଚଳ ମଧ୍ୟ ଅପେକ୍ଷାକୃତ ବଡ଼ ହେବ। ଏହି ଫେରିରେ ଏକକାଳୀନ ଯେମିତି ୪୫ଗୋଟି ବାଇକ୍, ୧୦/୧୫ଟି କାର୍, ବସ୍ ଆଦି ଯେମିତି ବୁହା ହୋଇପାରିବ ସେ ପ୍ରକାର କ୍ଷମତା ସମ୍ପନ୍ନ ଫେରି ଚଳାଚଳ କରିବାକୁ ଯୋଜନା ହୋଇଥିବା ସିଡିଏର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।
ମୋଟ ଉପରେ ଏହି ପ୍ରକଳ୍ପ ପାଇଁ ୧୭କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖର୍ଚ୍ଚର ଅଧାଅଧା ଭାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଛି। କେବଳ ଯେ, ଜଳପଥ ନିର୍ମାଣ ହେବ ତାହା ନୁହେଁ, ଏ ପ୍ରକଳ୍ପରେ ଯାତ୍ରୀ ବିଶ୍ରାମାଗାରଠୁ ଆରମ୍ଭ କରି ଶୌଚାଳୟ ଯାଏ ସବୁ ପ୍ରକାର ବ୍ୟବସ୍ଥା କରାଯିବ।