ରାଉରକେଲା: ନିଜ ବନ୍ଧୁକରୁ ନିଜକୁ ଗୁଳି କରିଦେଲେ ଜଣେ CISF ଯବାନ। RSP ଭିତରେ ଡ୍ୟୁଟିରେ ଥିବା ସମୟରେ ନିଜ ସର୍ଭିସ୍ ରିଭଲଭରରୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ରେ ଘଟିଛି ଏହି ଘଟଣା। ମୃତ ଯବାନଙ୍କ ନାଁ ଅଭିନନ୍ଦ ପି କେ। ତାଙ୍କ ଘର କେରଳର କନ୍ନୁର ଜିଲ୍ଲାର ଥିରୁଭାଙ୍ଗାଡୁ ଗାଁରେ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ଟାଙ୍ଗରପାଲି ପୋଲିସ ଶବ ଜବତ କରିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ିଛି। ଆଜି ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ଏହି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି। ଅଭିନନ୍ଦ ପି କେ ଗତକାଲି ନାଇଟ୍ ଡ୍ୟୁଟିରେ ନିଯୁକ୍ତ ହୋଇଥିଲେ। ଆଜି ସକାଳ ୮ଟାରେ ତାଙ୍କ ଡ୍ୟୁଟି ଶେଷ ହୋଇଥା’ନ୍ତା। ତେବେ ତା’ ପୂର୍ବରୁ ଘଟିଗଲା ଏଭଳି ଏକ ଘଟଣା।
ଅଭିନନ୍ଦ ପି କେ ମୁତୟନ ହୋଇଥିବା ସ୍ଥାନରେ ପାଟ୍ରୋଲିଂ ଅଧିକାରୀ ପହଞ୍ଚିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ତାଙ୍କ ଉପରସ୍ଥ ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ଏହା ପରେ ଟାଙ୍ଗରପାଲି ଥାନାକୁ ଖବର ଦିଆଯାଇଥିଲା।