ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ । ପୂର୍ବାହ୍ନ ୯ଟାରେ ରାହୁଲ ବେଦବ୍ୟାସ ଶୈବ ପୀଠରେ ପହଂଚିଥିଲେ l ସେଠାରେ ରାହୁଲ ବେଦବ୍ୟାସ ମୁନି ଗୁମ୍ଫାରେ ପୂଜାଅର୍ଚନା କରିଥିଲେ | ପରେ ଶୈବପୀଠ ସରସ୍ବତୀ କୁଣ୍ଡ ସହ ଅନ୍ୟ ମନ୍ଦିରକୁ ଯାଇଥିଲେ | ଶେଷରେ ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମରେ ଅନ୍ତେବାସୀଙ୍କ ସହ ଫଟୋ ଉଠାଇ ଥିଲେ |ଉଦିତନଗର ଛକରୁ ପାନପୋଷକୁ ପଦଯାତ୍ରା ସହ ସମାବେଶ କରିଥିଲେ। ରାଜଗାଙ୍ଗପୁର, କୁତ୍ରା ଓ ବଡ଼ଗାଁ ଦେଇ ସୁନ୍ଦରଗଡ଼ରେ ପହଞ୍ଚିବେ । ରାହୁଲଙ୍କ ସହ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଉପସ୍ଥିତ ଥିଲେ | ପରେ ରାହୁଲ ବେଦବ୍ୟାସରୁ ବାହାରି ୯ଟା ୫୫ ମିନିଟରେ ଉଦିତନଗର ଆମ୍ବେଦକର ଛକରେ ପହଞ୍ଚିଥିଲେ, ଯେଉଁଠାରୁ ବିଶାଳ ରୋଡ ସୋ’ ବାହାରିଥିଲା | ସେଠାରେ ରାହୁଲ ଗାନ୍ଧୀ ଉପସ୍ଥିତ ଜନସାଧାରଣଙ୍କ ସହ ନେତା ଓ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ | ରାହୁଲ ଗାନ୍ଧୀଙ୍କ ରୋଡ ସୋ’କୁ ନେଇ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ ରାଉରକେଲା ପାନପୋଷ ଛକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ପାର୍ଟନରସିପରେ ସରକାର ଚାଲିଛି । ସଂସଦରେ ଏଭଳି ଦୃଶ୍ୟ ଦେଖିଥିବା କହିଛନ୍ତି ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି । ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ୩୦ ଜଣ ଉଦ୍ୟୋଗପତି ଆସି ଓଡ଼ିଶାକୁ ଲୁଟିବାକୁ ବସିଛନ୍ତି । ଗରିବ, ଆଦିବାସୀ, ଦଳିତ ଓ ପଛୁଆବର୍ଗ ଅବହେଳିତ ହୋଇ ରହିଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି । ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇଛି । ଅନ୍ୟପଟେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି ।