ଗୋଟେପଟେ ନୂଆ ସରକାର ଗଠନ, ଅନ୍ୟପଟେ ଜମ୍ମୁକାଶ୍ମୀରେ ବଢ଼ିଲାଣି ଆତଙ୍କୀଙ୍କ ଉତ୍ପାତ । ୩ଦିନରେ ୩ଥର ଆତଙ୍କୀ ଆକ୍ରମଣ ଘଟଣା ଚିନ୍ତାର ବିଷୟ ପାଲଟିଛି । ଗତ ୩ ଦିନ ଭିତରେ ରେଆସି, କଠୁଆ ଓ ଡୋଡାରେ ୩ଟି ଆକ୍ରମଣ ହେଲାଣି। ଜମ୍ମୁ-କଶ୍ମୀରର କଠୁଆ ଓ ଡୋଡା ଜିଲାରେ ଆତଙ୍କବାଦୀମାନେ ରାତିଅଧିଆ ଆକ୍ରମଣ କରିଛନ୍ତି। ଡୋଡାର ଚତ୍ତେରଗାଲାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍)ର ଏକ ଚେକ୍ପୋଷ୍ଟରେ ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇବାରୁ ୬ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଟ୍ରୁପ୍ର ଏବଂ ଜଣେ ସ୍ପେଶାଲ ପୋଲିସ ଅଫିସର (ଏସ୍ପିଓ) ରହିଛନ୍ତି।ତେଣୁ ଭାରତୀୟ ସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଗକୁ ଆହୁରି ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।ରବିବାର ସନ୍ଧ୍ୟାରେ ରେଆସିରେ ଆତଙ୍କବାଦୀମାନେ ଏକ ତୀର୍ଥଯାତ୍ରୀ ବସ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଖାଇକୁ ଖସିପଡ଼ିଥିଲା। ଫଳରେ ବୈଷ୍ଣୋଦେବୀ ଦର୍ଶନରେ ଯାଉଥିବା ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀର ୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୩ ଜଣ ଆହତ ହୋଇଥିଲେ। ପୁଲିସ ମୁଖପାତ୍ର ସୂଚନା ଦେଇ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ପୁଲିସ ୪ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଏହି ୪ଜଣ ଭଦ୍ରୱାହ, ଥାଥରୀ, ଗଣ୍ଡୋହ ଅଂଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି। ଏମାନଙ୍କ ନାଁରେ ମୋଟ ୨୦ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଛି। ଏମାନଙ୍କୁ ଧରିବାକୁ ସୂଚନା ଦେଲେ ପ୍ରତ୍ୟେକଙ୍କୁ ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ସର୍ଚ୍ଚ ଅପରେସନ୍ ଜାରି ରହିଛି। ପୋଲିସ, ସେନା ଏବଂ CRPF ମିଳିତ ଅପରେସନ ଜାରି ରଖିଛନ୍ତି। ସୁରକ୍ଷା ବାହିନୀର ୧୧ଟି ଟିମ୍ ଜଙ୍ଗଲରେ ପଇଁତରା ମାରୁଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏଥିସହିତ ଡ୍ରୋନ୍ ସାହାଯ୍ୟରେ ସୁରକ୍ଷା ବାହିନୀ ମଧ୍ୟ ଆକାଶରୁ ନଜର ରଖିଛି।