ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଆଜିର ଦିନକୁ ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରୁଛି ବିଜେଡି । ସ୍ବାଭିମାନୀ, ସାହସୀ, ଯୁଗ ସ୍ରଷ୍ଟା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ରେ ଜନ୍ମଗ୍ରହଣ କରିଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଓ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦେଶ ସ୍ବାଧୀନ ହେବା ପରେ ସେ ଓଡ଼ିଶାକୁ ବିଭବଶାଳୀ ରାଜ୍ୟ ଭାବେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ।ସେ ଏଭଳି ଜଣେ ବିଚକ୍ଷଣ ବ୍ୟକ୍ତିତ୍ବ; ଯାହାଙ୍କର ପ୍ରଭାବ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଭାବିତ କରିଥିଲା। ୧୯୯୭ ଏପ୍ରିଲ୍ ୧୭ ତାରିଖ- ୮୧ ବର୍ଷର ଜୀବନ। ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ବ୍ୟକ୍ତିଗତ ଉଦ୍ୟମରେ ସେ ଚୌଦ୍ବାରରେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍, କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ରେଫ୍ରିଜେରେସନ୍, କଳିଙ୍ଗ ଇଣ୍ତଷ୍ଟ୍ରିଜ୍ ଭଳି ବହୁ କାରଖାନା ଖୋଲିଥିଲେ। ବୈଷୟିକ ବିଜ୍ଞାନ ଉପରେ ତାଙ୍କର ବିଶ୍ବାସ ଥିଲା । ବିଜ୍ଞାନର ପ୍ରସାର ପାଇଁ ୧୯୫୧ରେ ସେ ଜାତିସ˚ଘର ଶିକ୍ଷା, ବିଜ୍ଞାନ ଓ ସ˚ସ୍କୃତି ସ˚ସ୍ଥା ମାଧ୍ୟମରେ ‘କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିଲେ । ବିଜୁବାବୁଙ୍କ ପରଲୋକ ସହ ଏକ ଯୁଗର ପରିସମାପ୍ତି ହେଲା। ଆଜି ବିଜୁବାବୁ ନାହାନ୍ତି ସତ କିନ୍ତୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସେ ଅମର ହୋଇରହିଛନ୍ତି।