ଗୁଜରାଟ ରାଜକୋଟର ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି । ଶତାଧିକ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।ଅନେକ ଜୀବନ ଚାଲିଯିବା ସହ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଶନିବାର ସନ୍ଧ୍ୟା ସମୟରେ ରାଜକୋଟର ଏହି ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଖି ପିଛୁଲାକେ ନିଆଁ ଚାରିଆଡେ ବ୍ୟାପୀଯାଇଥିଲା ।
କେଉଁ ପରିସ୍ଥିତିରେ ଏତେବଡ଼ ଦୁର୍ଘଟଣା ଘଟିଲା, ଏହି ଗେମିଂ ଜୋନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ ।ଅଗ୍ନିକାଣ୍ଡରେ ୨୭ ଜଣଙ୍କ ମୃତ୍ୟୁ ନେଇ ଟ୍ୱିଟରରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।