ଦିଲ୍ଲୀ ପବନରେ ଏବେ ଭରି ରହିଛି ବିଷ । ନିଶ୍ବାସ ପ୍ରଶ୍ବାସ ନେବା ଅର୍ଥ ମାଡ଼ି ବସିବ ରୋଗ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନେଇ ସତର୍କ ମଧ୍ୟ କରିଦେଇଛି । ସ୍ଥିତି ଏଭଳି ଯେ ଧୂଆଁଳିଆ ପାଗ ଯୋଗୁ ଭିଜିବିଲିଟି ମଧ୍ୟ କମିଯାଇଛି । ଲୋକେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ସେପଟେ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଛି । ଆସନ୍ତା ୧୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଷଷ୍ଠରୁ ଦ୍ବାଦଶ ପର୍ଯ୍ୟନ୍ତ ଶ୍ରେଣୀକୁ ଅନଲାଇନରେ ପଢ଼ାଇବାକୁ ନିର୍ଦ୍ଦେଶ ରହିଛି । ସହରରେ ବିଏସ ଫୋର ଗାଡ଼ି ଉପରେ କଟକଣା ଜାରି କରାଯାଇଛି । ରାଜଧାନୀରେ ଆର.କେ ପୁରମ, ITO, ପାତପରଗଂଜ, ନ୍ୟୁ ମୋତିବାଗ ଅଞ୍ଚଳରେ ପ୍ରଦୂଷଣ ଅଧିକ ରହିଛି । ସହରରେ ଟ୍ରକ ଚଳାଚଳ ବନ୍ଦ ଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡ଼ିକୁ ପ୍ରବେଶ ଅନୁମତି ମିଳୁଛି । ସେହିପରି ସମସ୍ତ ନିର୍ମାଣ ଓ ଭଙ୍ଗାଭଙ୍ଗି କାର୍ଯ୍ୟ ଉପରେ କଟକଣା ଲାଗିଛି । କେବଳ ଗାଡ଼ି ଚଳାଚଳ ନୁହେଁ, ଅଫିସ କାମ ମଧ୍ୟ କଟକଣା ଜାରି କରା ଯାଇଛି । ସରକାରୀ ଓ ଘରୋଇ ଅଫିସରେ ୱାର୍କ ଫ୍ରମ ହୋମ ପାଇଁ ନିର୍ଦ୍ଦେଶ ରହିଛି । ଦିଲ୍ଲୀରେ ଥଣ୍ତା ବଢ଼ିବା ସହ ପ୍ରଦୂଷଣ ମଧ୍ୟ ବଢ଼ି ଯାଇଛି । ଗତକାଲି କେତେକ ଅଞ୍ଚଳରେ ଏକ୍ୟୁଆଇ ପାଞ୍ଚ ଶହ ଅତିକ୍ରମ କରିଥିଲା । ଆଜି ମଧ୍ୟ ସେପରି ଅବସ୍ଥା ଲାଗି ରହିଥିବା ଜଣା ପଡ଼ିଛି । ଅନ୍ୟପଟରେ ବିଶ୍ବ ବାୟୁମାନକ ସୂଚକାଙ୍କରେ ବିଶ୍ବର ଟପ୍ ୧୦ ପ୍ରଦୂଷିତ ସହର ମଧ୍ୟ ଭାରତର ତିନୋଟି ସହର ସାମିଲ ହୋଇଛି । ଶୀର୍ଷରେ ଦିଲ୍ଲୀ ଥିବା ବେଳେ ତୃତୀୟରେ କୋଲକାତା ଓ ପଞ୍ଚମରେ ମୁମ୍ବାଇ ରହିଛି ।