ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗିରଫ କରିଛି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବାକୁ ମନା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। କେଜ୍ରିୱାଲଙ୍କ ଗିରଫ ଦିଲ୍ଲୀର ଏକ୍ସାଇଜ୍ ପଲିସି ସହିତ ଜଡିତ ମନି ଲଣ୍ଡରିଂ ମାମଲା ସହ ଜଡିତ। ଘର ଭିତରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରୁଥିବା ବେଳେ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତାଙ୍କ ଘର ଭିତରକୁ କାହାକୁ ଛାଡ଼ି ନଥିଲେ ସୁରକ୍ଷା କର୍ମୀ। ଏପରିକି କେଜ୍ରିୱାଲ ଓ ତାଙ୍କ ପରିବାର ସଦସ୍ୟଙ୍କ ୫ଟି ଫୋନ୍ ଜବତ କରାଯାଇଥିଲା। ଦୁଇ ଘଣ୍ଟା ଧରି ଜେରା କରିବା ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଏଏପି କନଭେନରଙ୍କ ଇସ୍ତଫା ଦାବି କରିଛନ୍ତି।ଏହି ଗିରଫକୁ ବିରୋଧ କରୁଛି ତାଙ୍କ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍)। ଏହି ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ କହିଛି। କେଜ୍ରିୱାଲ୍ଙ୍କ ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା ଏବଂ ଏକଛତ୍ରବାଦୀ ଶାସନର ଘୋଷଣା ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି ଯେ ଯିଏ ବିଜେପିର ଏକଛତ୍ରବାଦୀ ଶାସନକୁ ବିରୋଧ କରୁଛି ସେ ଏହି ବିରୋଧରେ ଯୋଗଦେବା ଉଚିତ୍।
ଦିଲ୍ଲୀର ଭାଜପା ସଭାପତି ବିରେନ୍ଦ୍ର ସଚ୍ଚେଦଭା ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ଦୁର୍ନୀତିର ଅଭିଯୋଗରେ ସମ୍ପୃକ୍ତ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ହେଉଛି ଦୁର୍ନୀତିର ପରାଜୟ। କେଜ୍ରିୱାଲ ତୁରନ୍ତ ଇସ୍ତଫା ଦିଅନ୍ତୁ।” ସଚଦେବ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନୀତି ଦିଲ୍ଲୀର ଯୁବକମାନଙ୍କୁ ନିଶା ଆଡକୁ ଠେଲି ଦେଇଛି। “କେଜ୍ରିୱାଲ ପଞ୍ଜାବରେ ଡ୍ରଗ୍ସ ବିରୋଧରେ ଡ୍ରାମା କରୁଥିବାବେଳେ ସେ ଦିଲ୍ଲୀର ପ୍ରତ୍ୟେକ ରାସ୍ତାରେ ମଦ ଦୋକାନ ଏବଂ ବାର୍ ରୁମ୍ ଖୋଲି ଯୁବକମାନଙ୍କୁ ନିଶା ଭିତରକୁ ଠେଲି ଦେଇଥିଲେ।
କଣ ଏହି ଦିଲ୍ଲୀ ମଦ ଦୁର୍ନୀତି ?
- ୨୦୨୧ରେ ଦିଲ୍ଲୀରେ ଏକ ନୂଆ ଅବକାରୀ ନୀତି ଲାଗୁ କରିଥିଲେ କେଜ୍ରିୱାଲ୍ ସରକାର
- ବିବାଦ ଦେଖାଦେବା ପରେ ୨୦୨୨ରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା
- ଏହି ନୂଆ ନୀତି ଅନୁସାରେ ମଦ ବିକ୍ରି ସହ ସରକାରଙ୍କ କୌଣସି ସଂପର୍କ ରହିବ ନାହିଁ
- ମଦ ବ୍ୟବସାୟୀଙ୍କ ହାତକୁ ଚାଲିଯାଇଥିଲା ଏ ସଂପର୍କିତ ସମସ୍ତ ନିୟନ୍ତ୍ରଣ
- ଭୋର ୩ଟା ଯାଏଁ ମଦ ଦୋକାନ ଖୋଲିବା ଏବଂ ମଦ ହୋମ୍ ଡେଲିଭରି ପାଇଁ ଅନୁମତି ଥିଲା
- ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ ନିଜ ଇଚ୍ଛା ଅନୁସାରେ ରିହାତି ଦେଇପାରୁଥିଲେ
- ଇଓଡବ୍ଲୁ ସ୍କାନରକୁ ଆସିଥିଲେ ତତ୍କାଳୀନ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ
- ନିଜ ଲୋକଙ୍କୁ ଅନୁଚିତ ଅନୁଗ୍ରହ ଦେବାକୁ ସେ ନିୟମ ବଦଳାଇଥିବା ଅଭିଯୋଗ ହୋଇଥିଲା
- ଲାଇସେନ୍ସ ବଦଳରେ ଅନୈତିକ ଭାବେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା
- ରାଜକୋଷଙ୍କୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିବା ନେଇ ଆସିଥିଲା ଅଭିଯୋଗ
- ବିଭିନ୍ନ ଆଇନ ଉଲ୍ଲଂଘନ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ଦିଲ୍ଲୀ ମୁଖ୍ୟ ସଚିବ
- ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା
- କୋଟି କୋଟି ଟଙ୍କାର କିକ୍ ବ୍ୟାକ୍ ହୋଇଥିବା ଦାବି କରିଥିଲେ ସିବିଆଇ
- ଗୋଆ ନିର୍ବାଚନରେ ଆପ୍ ଦଳୀୟ ପ୍ରଚାର ପାଇଁ ଏହି ଟଙ୍କା ଉପଯୋଗ ହୋଇଥିବା ଅଭିଯୋଗ
- ମାମଲା ହାତକୁ ନେଇ ୩୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଛି ଇଡି
- ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ
- ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହ
- ତେଲେଙ୍ଗାନା BRS ନେତ୍ରୀ କେ. କବିତାଙ୍କୁ ବି ଗିରଫ କରିଛି ଇଡି
- ୯ ଥର ସମନ ଟାଳିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଛି ଇଡି