ଭୁବନେଶ୍ୱର: ସକାଳୁ ସକାଳୁ ଧୂଆଁମୟ ରାଜଧାନୀ ଭୁବନେଶ୍ବର ଏବଂ କଟକ । ଘନ କୁହୁଡିର ଆସ୍ତରଣ ତଳେ ଟ୍ୱିନସିଟି । ଦିପାବଳୀ ପରେ କୁହୁଡିର ଭ୍ରମ ସୃଷ୍ଟି କଲା ଧୂଆଁ। ଦୁଇଦିନ ଧରି ମନଇଚ୍ଛା ବାଣ ଫୁଟାଇବା ହେତୁ ଏଭଳି ସ୍ଥିତି ଉପୁଜିଛି। ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣରେ ଧନ୍ଦି ହୋଇଛନ୍ତି ରାଜଧାନୀବାସୀ । ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ବାଣ ଧୂଆଁରେ ଅଣନିଃଶ୍ବାସୀ ହୋଇପଡିଛନ୍ତି ଟ୍ୱିନସିଟି ବାସିନ୍ଦା । କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଥିଲା। ଏତେ କୁହୁଡି ଯେ, ମୁହଁକୁ ମୁହଁ ଦିଶୁନାହିଁ। ୧୦୦ ମିଟର ଦୂରତାରୁ ମଧ୍ୟ ମୁହଁ ଦିଶୁନି।
ତେବେ ରାଜଧାନୀ ଭୁବନେଶ୍ବରେ ଗତକାଲି ରାତିରେ ପ୍ରବଳ ବାଣ ଫୁଟିବା ଯୋଗୁ ଭୟଙ୍କର ଭାବେ ବାୟୁ ପ୍ରଦୂଷିତ ହୋଇଥିଲା । ରାତିରେ ବାୟୁମଣ୍ଡଳ ଧୂଆଁରେ ଭରି ଯାଇଥିଲା । ରାସ୍ତଘାଟ ଦେଖାଯାଉନଥିଲା । ଆଜି ମଧ୍ୟ ବାୟୁମଣ୍ଡଳକୁ ଧୂଳି ଓ ଧୂଆଁ ବିଷାକ୍ତ କରି ରଖିଛି । ତା ସହ ଘନ କୁହୁଡ଼ି । କେବଳ ଟ୍ବିନ୍ ସିଟି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୁରୀରେ ଘନ କୁହୁଡ଼ି । ଶ୍ରୀମନ୍ଦିର କୁହୁଡ଼ିାରେ ଲୁଚି ଯାଇଛି । ହାଲୁକା ଶୀତ ଆରମ୍ଭ ହେବା ସହ ସକାଳକୁ ଢାଙ୍କି ଦେଇଛି କୁହୁଡ଼ି ।