ରାଜ୍ୟରେ ଥିବା ପ୍ରାୟ ୧କୋଟି ଆଦିବାସୀ ପାଇଁ ରାଜ୍ୟ ସରକାର ଆଜି ଯୋଜନା ଅଜାଡ଼ି ଦେଇଛନ୍ତି। ଆଦିବାସୀଙ୍କୁ ରୋଜଗାର, ଉତ୍ପାଦିତ ସାମଗ୍ରୀର ବଜାରୀକରଣ, ସେମାନଙ୍କ ଭାଷାର ସୁରକ୍ଷା ଓ ଅଧିକାର ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତିଗୁଡ଼ିକରେ ମୋହର ବାଜିଛି। ଆଜିର ବୈଠକରେ ୨ଟି ବିଭାଗର ମୋଟ୍ ୫ଟି ପ୍ରସ୍ତାବ ପାରିତ ହୋଇଛି। ଆଦିବାସୀଙ୍କ ପାଇଁ ନୂଆ ଯୋଜନା ‘ଲାଭ-ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ପ୍ରସ୍ତାବ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି। ଏଥିରେ ଲଘୁ ବନଜାତ ଦ୍ରବ୍ୟ ପାଇଁ ରାଜ୍ୟ ସରକାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବେ। ଏହା ପ୍ରତିବର୍ଷ ଧାର୍ଯ୍ୟ ହେବ। ରାଜ୍ୟ ସରକାର ଏମ୍ଏସ୍ପି ଦେଇ ଆଦିବାସୀଙ୍କ ଠାରୁ ଲଘୁ ବନଜାତ ଦ୍ରବ୍ୟ କିଣିବେ। ଆଦିବାସୀମାନେ ସେମାନଙ୍କ ସାମଗ୍ରୀ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ (ଟିଡିସିସିଓଏଲ୍)ରେ ବିକିବେ। ସାମଗ୍ରୀ ବିକିବା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ପ୍ରାପ୍ୟ ଜମା କରିଦିଆଯିବ। ଏହାଦ୍ବାରା ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଏବଂ ନିଜେ ଉତ୍ପାଦନ କରୁଥିବା ଲଘୁ ବନଜାତ ଦ୍ରବ୍ୟଗୁଡ଼ିକର ଅଭାବୀ ବିକ୍ରି ହେବନି କି କେହି ଦଲାଲ ରହିବେନି।