ହୀରା ରତ୍ନ ଭିତରେ ବହୁତ ମୂଲ୍ୟବାନ ବୋଲି କୁହାଯାଏ ..କିନ୍ତୁ ସେଇ ମୂଲ୍ୟବାନ ହୀରାର ଗୋଟିଏ ଖାସ ଧରଣ ବି ରହିଛି ,ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଭିନ୍ନ ଦେଖାଯାଉଥିବା ଏହି ନିଆରା ହୀରାର ଖାସ୍ କଥା ହେଉଛି ଏହି ହୀରା ଭିତରେ ଆଉ ଏକ ଛୋଟ ହୀରା ରହିଛି। ଏହି ହୀରାକୁ ଆବିଷ୍କାର କରିଥିବା ସୁରଟର ହୀରା କମ୍ପାନି ଏହାର ନାମ ରଖିଛନ୍ତି ‘ବିଟିଂ ହାର୍ଟ’। ଏହି ହୀରା ହେଉଛି ୦.୩୨୯ କ୍ୟାରେଟ୍ ବିଶିଷ୍ଟ । ଯାହାକୁ ଅକ୍ଟୋବର ୨୦୨୨ରେ ଭିଡି ଗ୍ଲୋବାଲ ଆବିଷ୍କାର କରିଥିଲା । ଭିଡି ଗ୍ଲୋବାଲର ସଭାପତି ବଲ୍ଲଭ ବାଘସିଆ କହିଛନ୍ତି, “ଆମ ସୁରଟ୍ କାରଖାନାରେ ଥିବା ରଫ୍ (କଟା ଓ ପଲିସ ହୋଇନଥିବା ହୀରା) କୁ ଯାଞ୍ଚ କରିବା ସମୟରେ ଆମେ ଏହି ବିରଳ ହୀରା ଖଣ୍ଡଟିକୁ ଦେଖିଲୁ, ଯେଉଁଥିରେ ଆଉ ଏକ ଛୋଟ ଖଣ୍ଡ ଫସି ରହିଥିଲା, ଯାହା ଆମେ ପୂର୍ବରୁ କେବେ ଦେଖିନଥିଲୁ ।
ସେ କହିଛନ୍ତି, “ନିଆରା ପଥର ଦେଖିବା ପରେ ଆମର ପ୍ରାରମ୍ଭିକ ଭାବନାକୁ ଆଧାର କରି ଆମେ ଏହାକୁ ‘ବିଟିଂ ହାର୍ଟ’ ନାମ ଦେଇଥିଲୁ। ଏହି ହୀରାଗୁଡ଼ିକୁ ଅଧିକ ବିଶ୍ଳେଷଣ ପାଇଁ ପଠାଯାଇଛି, ଡି ବିୟର୍ସଙ୍କ ସହ ବିବରଣୀ ସେୟାର କରାଯାଇଛି ଏବଂ ବ୍ରିଟେନରେ ଥିବା କାରଖାନାକୁ ପଠାଯାଇଛି । ବିଡିଜି ଏକ ହୀରା ନିର୍ମାତା କମ୍ପାନୀ । ଯାହାର କାରବାର ସାରା ବିଶ୍ୱରେ ପ୍ରସାରିତ । ବିଟିଂ ହାର୍ଟ ହୀରା ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛି ।