ନୂଆଦିଲ୍ଲୀ: ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍’ର ଅଧ୍ୟକ୍ଷ ଭାବେ ‘ଭାବା ଆଟମିକ୍ ରିସର୍ଚ ସେଣ୍ଟର୍’ର ନିର୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା। ଯାହାକି ଓଡ଼ିଶା ପାଇଁ ଗର୍ବର ବିଷୟ। ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏବେ ଓଡ଼ିଆ ଦେଶର ପରମାଣୁ ସଂସ୍ଥାର ମୁଖ୍ୟ ସଚିବ ହୋଇଛନ୍ତି। ଆସନ୍ତା ୨୦୨୫ ଅକ୍ଟୋବର ୧୦ ଯାଏ ତାଙ୍କର କାର୍ଯ୍ୟକାଳ ରହିବ। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଅଜିତଙ୍କ ନାଁ ଉପରେ ମୋହର ମାରିଛି । ଡକ୍ଟର ମହାନ୍ତି ୧୯୫୯ରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ବାରିପଦା ସ୍ଥିତ ଏମ୍ପିସି କଲେଜରୁ ସେ ଫିଜିକ୍ସ ଅନର୍ସରେ ଗ୍ରାଜୁଏସନ୍ କରିବା ସହ କଟକ ରେଭେନ୍ସା କଲେଜରୁ ପୋଷ୍ଟ-ଗ୍ରାଜୁଏସନ୍ କରିଛନ୍ତି।