ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ) ପକ୍ଷରୁ ସୋମବାରଠାରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଧରପଗଡ଼ ଅଭିଯାନରେ ବିଶେଷ ସଫଳତା ମିଳିଛି। ନାବାଳକ ଚାଳକଙ୍କୁ ଗାଡ଼ି ଚାଳନାରୁ ନିବୃତ୍ତ କରିବା ପାଇଁ ଏସ୍ଟିଏ ଏମ୍ଭି ଆକ୍ଟ ୧୯୯(କ) ଧାରାକୁ ପାଳନ କରିବା ନିମନ୍ତେ କଡ଼ା କଟକଣା ଜାରି କରିଛି। ରାଜ୍ୟରେ ୩୫ଟି ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ) ଏବଂ ୩ଟି ଅତିରିକ୍ତ ପରିବହନ ଅଧିକାରୀ (ଏଆର୍ଟିଓ)ଙ୍କ ପକ୍ଷରୁ ଧରପଗଡ଼ ଅଭିଯାନ କରାଯାଇଛି। ପ୍ରଥମ ଦିନରେ ୧୫୪ ଓ ଦ୍ୱିତୀୟ ଦିନରେ ୧୮୦ ମିଶି ମୋଟ୍ ୩୩୪ଟି ମାମଲାରେ ଚାଲାଣ କଟାଯାଇଛି। ସେହିପରି ପ୍ରଥମ ଦିନରେ ୬୦ ଓ ଦ୍ୱିତୀୟ ଦିନରେ ୭୮ ମିଶି ମୋଟ୍ ୧୩୮ ଗାଡ଼ି ଜବତ ହୋଇଛି। ହେଲେ ୧୯୬ଟି ମାମଲାରେ କେବଳ ଚାଲାଣ କଟାଯାଇଥିବାବେଳେ କୌଣସି ଗାଡ଼ି ଜବତ ହୋଇପାରିନାହିଁ। ୨ ଦିନ ବ୍ୟାପୀ ରୁଜୁ ୩୩୪ ମାମଲାରେ ୮୩ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ପାଇଁ ଚାଲାଣ କଟାଯାଇଛି।