ନିଶାମୁକ୍ତ ହେବ ସମସ୍ତ ଶିକ୍ଷାନୁଷ୍ଠାନ । ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ି ଚାଲିଛି । ସରକାର ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ କରିଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଛାତ୍ରଛାତ୍ରୀଙ୍କ ପରେ ଏଣିକି ଅଧ୍ୟାପକ, ଶିକ୍ଷକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ । ଶିକ୍ଷାନୁଷ୍ଠାନକୁ କେହି ନିଶା ସେବନ କରି ଆସିବେ ନାହିଁ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଉପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶପାଳନ କରିବାକୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସ୍ମାରକପତ୍ର ଜାରି କରିଛି । କଡ଼ା ନିର୍ଦ୍ଦେଶ ଦେଇ ୟୁଜିସି କହିଛି ଯେ ତମାଖୁ ମୁକ୍ତ କ୍ୟାମ୍ପସ ପାଇଁ ଜାରି ହୋଇଥିବା ଗାଇଡଲାଇନକୁ ଶତ ପ୍ରତିଶତ କଡ଼ାକଡ଼ି ଭାବେ ପାଳନ କରାଯାଉ । ୟୁଜିସି କହିଛି ଯେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ ମାନୁଆଲ୍ ଏବଂ ନିର୍ଦ୍ଦେଶାବଳୀକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ଏବଂ ସେମାନଙ୍କ ପରିସରକୁ ତମାଖୁ, ଇଲେକ୍ଟ୍ରୋନିକ୍ ସିଗାରେଟ୍ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟମୁକ୍ତ କରିବାକୁ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି । ଏ ସଂକ୍ରାନ୍ତରେ ୟୁଜିସି ପକ୍ଷରୁ ସେପ୍ଟେମ୍ବର ୧୧ତାରିଖରେ ଏକ ଚିଠି ଜାରି କରାଯାଇଛି । ଯେଉଁଥିରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜଅଧ୍ୟକ୍ଷଙ୍କୁ କୁହାଯାଇଥିଲା ଯେ ଯୁବକମାନଙ୍କ ମଧ୍ୟରେ ତମାଖୁ ନିଶା ଚିନ୍ତାର ବିଷୟ । ଏହି ସମସ୍ୟା ଦୂର କରିବା ଦିଗରେ ଧାର୍ଯ୍ୟ କରାଯାଇଥିବା ପ୍ରତ୍ୟେକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଶିକ୍ଷାନୁଷ୍ଠାନର ଦାୟିତ୍ୱ । ଏହା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇ-ସିଗାରେଟ୍ ର ପ୍ରସାର ବଢ଼ୁଥିବାରୁ ୟୁଜିସି ମଧ୍ୟ ଚିନ୍ତା ପ୍ରକଟ କରିଛି । ଗ୍ଲୋବାଲ ୟୁଥ ଟବାକୋ ସର୍ଭେ (Global Youth Tobacco Survey) ୨୦୧୯ ତଥ୍ୟ ଅନୁସାରେ, ୧୩ରୁ ୧୫ ବର୍ଷ ବୟସ ମଧ୍ୟରେ ୮.୫ ପ୍ରତିଶତ ସ୍କୁଲ ପିଲା ତମାଖୁ ବ୍ୟବହାର କରୁଛନ୍ତି । ପ୍ରତିବର୍ଷ ୫୫୦୦ରୁ ଅଧିକ ପିଲା ତମାଖୁ ବ୍ୟବହାର ଆରମ୍ଭ କରୁଛନ୍ତି । ଗ୍ଲୋବାଲ ୟୁଥ ଟବାକୋ ସର୍ଭେ ତଥ୍ୟ ଅନୁସାରେ ୫୫ ପ୍ରତିଶତ ଆଜୀବନ ତମାଖୁ ବ୍ୟବହାରକାରୀ, ୨୦ ବର୍ଷ ବୟସ ପୂର୍ବରୁ ହିଁ ତମାଖୁ ସେବନ କରିବା ଆରମ୍ଭ କରନ୍ତି । ସେହିପରି ଇ- ସିଗେରେଟ (Electronic Cigarette) ମଧ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହ ବିପଦ ସୃଷ୍ଟି କରିଥାଏ । ଯେପରିକି, DNA ନଷ୍ଟ, କ୍ୟାନ୍ସର, ହୃଦରୋଗ, ସ୍ନାୟୁଗତ ରୋଗ ଭଳି ସମସ୍ୟା ହୋଇଥାଏ । ଏହାସହ ଭ୍ରୁଣର ବିକାଶ ଏବଂ ଗର୍ଭଧାରଣ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ ।