ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ବିଶ୍ୱାସରେ ବିଷ ଦେଉଛନ୍ତି କିଛି ଅସାଧୁ ବ୍ୟକ୍ତି। ଶ୍ରୀମନ୍ଦିର ବାହାରେ ପ୍ରସ୍ତୁତ ହେଉଛି ନକଲି ମହାପ୍ରସାଦ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବୋଲି କହି ଭକ୍ତଙ୍କୁ ବିକ୍ରି କରାଯାଉଛି। ଲୋକଙ୍କ ମଧ୍ୟରେ ଯେପରି ଅବିଶ୍ୱାସ ନହୁଏ ସେଥିପାଇଁ ଶ୍ରୀମନ୍ଦିରରେ ବ୍ୟବହୃତ ହାଣ୍ଡି କୁଡୁଆ ନକଲି ମହାପ୍ରସାଦରେ ବ୍ୟବହାର କରାଯାଉଛି। ପୁରୀ ସହରର ପାଇକ ସାହିରେ ଶୁକ୍ରବାର ନକଲି ମହାପ୍ରସାଦ ପ୍ରସ୍ତୁତି ଏବଂ ବିକ୍ରୟ ସ୍ଥାନ ଚିହ୍ନଟ କରାଯାଇଛି। ଏକ ଖୋଲା ସ୍ଥାନରେ ତମ୍ବୁ ବନ୍ଧାଯାଇ ଆଲୁମିନିୟମ ଟପ୍ରେ ଅନ୍ନ, ଡାଲି, ଡାଲମା, ଖଟା, ଶାଗ, ବେସର, ମହୁର, କାବୁଲି ସୋଲା ଏବଂ ପୋଟଳ ତରକାରୀ ରନ୍ଧା ଯାଉଛି। ହାଣ୍ଡି କୁଡୁଆରେ ତାହାକୁ ଭର୍ତ୍ତି କରାଯାଇ ଭକ୍ତଙ୍କୁ ବିକ୍ରି କରାଯାଉଛି। ବିବାହ, ବ୍ରତ, ଶୁଦ୍ଧିକ୍ରିୟା ପାଇଁ ବିଭିନ୍ନ ଅଞ୍ଚଳରୁ ମହାପ୍ରସାଦ ଯୋଗାଇବା ପାଇଁ ଅଗ୍ରିମ ନେଇ ନକଲି ମହାପ୍ରସାଦ ବିକ୍ରି କରାଯାଉଛି।
ପ୍ରାୟ ଏକହଜାର ଲୋକଙ୍କ ପାଇଁ ସାଧା ଅନ୍ନ ଏବଂ ଡାଲମା ପ୍ରସ୍ତୁତ କରି ହାଣ୍ଡି କୁଡୁଆରେ ବାହାରକୁ ପଠାଇବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖିବା ମାତ୍ରେ ନକଲି ମହାପ୍ରସାଦ ପ୍ରସ୍ତୁତ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ଦୌଡ଼ି ପଳାଇଥିଲେ। ନକଲି ମହାପ୍ରସାଦ ପ୍ରସ୍ତୁତି କାର୍ଯ୍ୟରେ ୮ରୁ ୧୦ଜଣ ଲୋକ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ପୁରୀ ସହରରେ ଭକ୍ତଙ୍କ ବିଶ୍ୱାସରେ ବିଷ ଦେଇ ଏଭଳି ବେଆଇନ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୁଲିସ ଏ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇବାରେ ସମର୍ଥ ହୋଇ ନାହାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ନାମରେ କିଛି ବ୍ୟକ୍ତି ଦୀର୍ଘଦିନ ଧରି ଭକ୍ତଙ୍କୁ ଠକି ଚାଲିଛନ୍ତି। ଏହି ରାକେଟରେ କେତେକ ସେବକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।