ପ୍ୟାରିସ୍ ସ୍ଥିତ ଏଫିଲ୍ ଟାୱାରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଆଜି ଧମକ ମିଳିଛି। ପ୍ୟାରିସ୍ ପୁଲିସକୁ ଏଭଳି ଧମକ ମିଳିବା ପରେ ଏଫିଲ୍ ଟାୱାରକୁ ଖାଲି କରାଯାଇଛି ଏବଂ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି ହୋଇଛି। ଏଫିଲ୍ ଟାୱାରକୁ ତନ୍ନତନ୍ନ କରି ଯାଞ୍ଚ କରାଯିବା ସହ ଆଖପାଖ ଅଞ୍ଚଳର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ସଂପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି କୁହାଯାଇଛି। ଏହି ଧମକ ମିଳିବା ପରେ ମଧ୍ୟ ପ୍ୟାରିସ ସ୍ଥିତ ଏଫିଲ ଟାୱାରର ତିନୋଟି ମହଲାକୁ ଖାଲି କରି ଦିଆଯାଇଥିଲା । ଏଥିସହିତ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସର ବହୁ ଟିମକୁ ଉକ୍ତ ସ୍ଥାନରେ ମୁତୟନ କରାଯାଇ ଘଟଣାର ଅନୁସନ୍ଧାନ କରାଯାଉଛି । ଟାୱାରର ଆଖାପାଖ ଅଞ୍ଚଳରେ ମଧ୍ୟ ସନ୍ଧାନ କାର୍ଯ୍ୟ ଜାରି ରହିଛି । ଏହି ଐତିହାସିକ ସ୍ମାରକୀ ନିକଟରେ ପୋଲିସ ପକ୍ଷରୁ ବାରିକେଡ୍ କରାଯାଇଛି । ଟାୱାର ନିକଟରୁ ଦୂରରେ ରହିବା ପାଇଁ ସମସ୍ତ ପର୍ଯ୍ୟଟକଙ୍କୁ କୁହାଯାଇଛି । ପ୍ୟାରିସ ସ୍ଥିତ ଏଫିଲ ଟାୱାର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଲାଭ କରିଛି । ୧୯୮୭ ମସିହା ଜାନୁଆରୀ ମାସରେ ଏହି ଟାୱାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୮୯ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ସମାପ୍ତ ହୋଇଥିଲା । ୧୯୮୯ ମସିହାର ବିଶ୍ୱ ମେଳା ଅବସରରେ ଏହି ସ୍ଥଳରେ ୨୦ ଲକ୍ଷ ପର୍ଯ୍ୟଟକ ଯୋଗ ଦେଇଥିଲେ । ଗତବର୍ଷ ପ୍ୟାରିସର ଏହି ଐତିହାସିକ ସ୍ଥଳରେ ଦେଶ ବିଦେଶର ୬୨ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା ।