୨୦୨୪ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇସାରିଛି । ସୋମବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରଚାରରେ ଶିଶୁ ଓ ନାବାଳିକାଙ୍କୁ ସାମିଲ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆୟୋଗ କଡା ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ସାଧାରଣ ନିର୍ବାଚନରେ ଶିଶୁ କିମ୍ବା ନାବାଳିକାଙ୍କୁ ପ୍ରଚାର ପାମ୍ପଲେଟ୍ ବଣ୍ଟନ, ପୋଷ୍ଟର ଲଗାଇବା, ସ୍ଲୋଗାନ ଦେବା କିମ୍ବା ପାର୍ଟି ପତାକା ଓ ବ୍ୟାନର ଧରିବା ଯେମିତି ଦେଖାନଯାଏ ।
ନିର୍ବାଚନ ଆୟୋଗ କହିଛନ୍ତି ଯେ ପିଲାମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ କିମ୍ବା ନିର୍ବାଚନ ପ୍ରଚାର କାର୍ଯ୍ୟରେ ସାମିଲ କରାଗଲେ ଏହାକୁ ବରଦାସ୍ତ କରାଯିବ ନାହିଁ। ଛୋଟ ପିଲାଙ୍କୁ ଗୀତ ବୋଲିବା କିମ୍ବା ନାରା ଲଗାଇବା, କବିତାପାଠ କରିବା, ପୋଷ୍ଟର ମାରିବା, କୌଣସି ପ୍ରାର୍ଥୀଙ୍କ ପ୍ରଚାର କରିବା, କିମ୍ବା ତାଙ୍କ ପାଟିରୁ କୌଣସି ବି ପ୍ରକାର ରାଜନୈତିକ ଶବ୍ଦ ବାହାରିବାକୁ ବରଦାସ୍ତ କରାଯିବ ନାହିଁ । ଏମିତିକି ସେମାନଙ୍କୁ ପୋଷ୍ଟର ମାରିବା ବା ଭିଡ଼ ଜମାଇବା ପାଇଁ ବି ଡକା ଯାଇପାରିବ ନାହିଁ । ନିର୍ବାଚନ ସମ୍ବନ୍ଧୀୟ କୌଣସି ବି କାର୍ଯ୍ୟରେ ନାବାଳକ ନାବାଳିକାଙ୍କୁ ସାମିଲ କରାଯିବାକୁ ସମ୍ପୂଣ୍ଣ ବାରଣ କରିଛନ୍ତି ନିର୍ବାଚନ ଆୟୋଗ ।