ଲଗାତାର ତୃତୀୟ ଥର ଦେଶରେ ଆରମ୍ଭ ହେବ ମୋଦି ସରକାର। ଦିନେ ପରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ସରକାର ଗଠନ ନେଇ କସରତ ଆରମ୍ଭ ହୋଇଛି। ଆଜି ଦିଲ୍ଲୀରେ ବସିଛି ଏନଡିଏ ସାଂସଦଙ୍କ ବୈଠକ। ଏଥିରେ ବିଜେପି ସହ ସହଯୋଗୀ ଜେଡିୟୁ ଓ ଟିଡିପି ଦଳର ସାଂସଦମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏହାପରେ ପରେ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି। ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ। ଏନଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ ଆଲାଏନ୍ସ ସଫଳ ହୋଇନି। ଏନଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ। ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନଡିଏ। ଆଗାମୀ ୧୦ ବର୍ଷରେ ଗୁଡ ଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଲେଖାଯିବ। ସମସ୍ତେ ମିଶି ବିକଶିତ ଭାରତ ସ୍ବପ୍ନକୁ ସାକାର କରିକି ହିଁ ରହିବା। ସଂସଦରେ ଯେକୌଣସି ଦଳର ଏମ୍ପି ମୋ ପାଇଁ ସମାନ ମୋ ପାଖରେ ନିଜ, ପର ଭେଦଭାବ ନାହିଁ, ସମସ୍ତେ ସମାନ। ଓଡ଼ିଶା ଫଳାଫଳକୁ ନେଇ ବଡ଼ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ଦେଇ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ବପ୍ନକୁ ନୂଆ ଗତି ଦେବ। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଂଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ। ଓଡ଼ିଶା ହେବ ଦେଶର ବିକଶିତ ଇଂଜିନ।