ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପ୍ରଚାର ଅଭିଯାନ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏହି ଅବସରରେ ନିର୍ବାଚନ ଆୟୋଗ ଏ ପର୍ଯ୍ୟନ୍ତ ନିର୍ବାଚନ ସମୟରେ ଜବତ ହୋଇଥିବା ସାମଗ୍ରୀର ବିସ୍ତୃତ ଓ ଚାଞ୍ଚଲ୍ୟକର ତଥ୍ୟ ଜାରି କରିଛନ୍ତି। ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଦେଶବ୍ୟାପି ଚଢ଼ଉ ଅଭିଯାନ ଜୋରଦାର ହୋଇଛି। ଏହି ସମୟରେ ଜବତ ହେଉଥିବ ସାମଗ୍ରୀର ପରିମାଣ ରେକର୍ଡ ପରେ ରେକର୍ଡ କରିବାରେ ଲାଗିଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ଯେତେ ପରିମାଣର ସାମଗ୍ରୀ ଓ ଟଙ୍କା ଜବତ ହେଲାଣି ପୂର୍ବରୁ କେବେ ବି ଏତେ ହୋଇନଥିଲା। ସ୍ବାଧୀନ ଭାରତର ନିର୍ବାଚନ ଇତିହାସରେ ଏହା ସର୍ବାଧିକ ବୋଲି କୁହାଯାଉଛି। ଜବତ ପରିମାଣ ଖୁବ୍ଶୀଘ୍ର ୯୦୦୦ କୋଟି ଟଙ୍କା ଅତିକ୍ରମ କରିବ। ବର୍ତ୍ତମାନ ସୁଦ୍ଧା ଏହା ୮୮୮୯.୭୪ କୋଟି ଟଙ୍କାରେ ପହଞ୍ଚିସାରିଛି।ନିର୍ବାଚନ କମିସନ କହିଛନ୍ତି ଯେ ଏହି ଜବତ ସାମଗ୍ରୀ ୩୯୫୮ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଓ ବିଭିନ୍ନ ମାଦକ ଦ୍ରବ୍ୟ ସାମିଲ ଅଛି ଯାହାକି ମୋଟ୍ ଜବତ ମୂଲ୍ୟର ୪୫ ପ୍ରତିଶତ।