ଗଞ୍ଜାମରେ ନିର୍ବାଚନୀ ହିଂସା ଘଟିଥିବା ତଥ୍ୟ ସାମ୍ନାକୁ ଆସିଛି । ଖଳ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିିଜେଡି ଓ ବିଜେପିର ୨ ଗଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସଷ୍ଟିି ହୋଇଥିଲା । ଗୋଟିଏ ଗୋଟିଏ ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହାତ ହୋଇଥିବା ସୂଚନା ମିଳିଥିଲା । ଗୁରୁତର ଥିବା ୪ଜଣଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ଗଭୀର ନିନ୍ଦା କରିଛନ୍ତି । ଖଲ୍ଲିକୋଟ ହିଂସାକୁ ନେଇ ସିଇଓ ଉଦବେଗ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ କାର୍ଯ୍ୟରେ ଅବହେଳା ଯୋଗୁ ୪ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ନିର୍ବାଚନୀ ହିଂସା ଏଠାରେ ଥମି ନାହିଁ । ଅଭିଯୁକ୍ତଙ୍କୁ ଥାନାରୁ ନେବାବେଳେ ପୋଲିସ ଗାଡିକୁ ଘେରିଛନ୍ତି ଲୋକେ । ପୋଲିସ ଗାଡି ଉପରକୁ ପଥର ମାଡ ସହ ପାଣି ବୋତଲ ମାଡ କରିଛନ୍ତି । ଲୋକଙ୍କ ପଥର ମାଡରେ ଭାଙ୍ଗିଛି ପୋଲିସ ଭ୍ୟାନର କାଚ । ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠି ଚାଳନା କରିଥିବା ବେଳେ ପୋଲିସ ଉପରକୁ ଲୋକମାନେ ଢେଲା, ପଥର ଓ ବୋତଲ ଫିଙ୍ଗିଛନ୍ତି । ଖଲ୍ଲିକୋଟର ହିଂସା ପରିସ୍ଥିତିକୁ ନେଇ ୧୪୪ ଧାରା ଜାରି କଲା ପ୍ରଶାସନ । ଥାନାଠାରୁ ୧୦୦ ମିଟର ପରିଧି ମଧ୍ୟରେ କଟକଣା ଜାରି କରାଯାଇଛି । ହିଂସାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି । ସବିଶେଷ ତଥ୍ୟ ଅନୁଯାୟୀ ହିଂସାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛି ବିଜେପି ।