ପୁରୁଷ ଯାହା କରିପାରିନାହାନ୍ତି, ମହିଳା ତାହା କରି ଦେଖାଇଛନ୍ତି। ୨୦୦୮ ମସିହାରେ ଗଠିତ ହେବାର ୧୬ବର୍ଷ ପରେ ୨୦୨୪ରେ ପ୍ରଥମ ଟ୍ରଫି ଜିତିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ପ୍ରଥମ ଥର ଡବ୍ଲୁପିଏଲ୍ (ମହିଳା ଆଇପିଏଲ୍) ଫାଇନାଲ୍ ଖେଳି ଟ୍ରଫି ଜିତି ନେଇଛି ଆର୍ସିବିର ମହିଳା ଦଳ। ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସଂସ୍କରଣ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି ସ୍ମୃତି ମନ୍ଧାନାଙ୍କ ଟିମ୍ । ଏହି ବିଜୟ ପ୍ରଥମଥର ଡବ୍ଲୁପିଏଲ୍ ହାତେଇଛି ଆରସିବି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ପୁଣିଥରେ ଟାଇଟଲରୁ ବଂଚିତ ହୋଇଛି । ପ୍ରଥମ ସଂସ୍କରଣରେ ମଧ୍ୟ ଦଳ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାସ୍ତ ହୋଇଥିଲା ।ରବିବାର ଲୋ’ ସ୍କୋରିଂ ଫାଇନାଲ ମ୍ୟାଚରେ ଦିଲ୍ଲୀ ୧୮.୩ ଓଭରରେ ୧୧୩ ରନ୍ କରି ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଶେଫାଳୀ ବର୍ମା ୪୪ ରନ୍ ଓ ଅଧିନାୟକ ମେଗ୍ ଲାନିଂ ୨୩ ରନ କରିଲେ । ଆରସିବି ପକ୍ଷରୁ ଶ୍ରେୟଙ୍କା ପାଟିଲ ୪ଟି ଓ ସୋଲି ମୋଲିନକ୍ସ ୩ଟି ୱିକେଟ୍ ନେଇଥିଲେ । ଜବାବରେ ଆରସିବି ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ଅଧିନାୟକ ମନ୍ଧାନା ୩୧ ରନ୍ ଓ ସୋଫି ଡିଭାଇନ୍ ୩୨ କରି ଆଉଟ୍ ହୋଇଥିଲେ । ଏଲିସ ପେରୀ ୩୫ ଓ ରିଚା ଘୋଷ ୧୭ ରନ୍ କରି ଅପରାଜିତ ଥିଲେ ।