ବନ୍ୟା ପାଣିରେ ବୁଡ଼ିଲା ନିର୍ମାଣଧୀନ ପୋଲ । ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ବେଗୁନିଆରେ ବନ୍ୟା ପାଣିରେ ବୁଡିଯାଇଛି ପୋଲ । ଫଳରେ ୧୦ଟିରୁ ଅଧିକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ଦେଇ ବହି ଯାଇଥିବା ସୋନ ନଈ ଶାଖା ନଇ ଉପରେ ୪୦ ବର୍ଷ ତଳର ଏକ ପୁରୁଣା ପୋଲ ରହିଥିଲା । ତାହା ନଷ୍ଟ ହେବା ପରେ ଅସ୍ଥାୟୀ ଭାବରେ ରାସ୍ତା କରି ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯୋଗାଯୋଗ କରାଯାଉଥିଲା । କିନ୍ତୁ ବାତ୍ୟା ଦାନା ଯିବା ପରେ ସନ ନଈରେ ଜଳସ୍ଥର ବଢ଼ିଛି ଯାହା ଦ୍ୱାରା କି ଅସ୍ଥାୟୀ ପୋଲଟି ବୁଡି ଯାଇଛି। ଫଳରେ ବେଗୁନିଆ, ମିତ୍ରପୁର, କଲ୍ୟାଣୀ, ସିଙ୍ଗିରୀ, ତୋଟାପଡ଼ା, ଲଇଛଣପୁର, ଶଂଶାପାଳ, ନିଶଙ୍ଖପୁର, ଟିକିରାପାଳ, ପଥରଗଡ଼, ଦୁବାଟି ଆଦି ୧୦ରୁ ଅଧିକ ଗ୍ରାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ତୁରନ୍ତ କିଛି ପଦକ୍ଷେପ ନେବା ପାଇଁ ପ୍ରସାଶନକୁ ଗୁହାରୀ କରିଛନ୍ତି ଅଞ୍ଚଳବାସୀ।
ବାତ୍ୟା ‘ଦାନା’ ଯୋଗୁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ବୁଢାବଳଙ୍ଗ ଓ ସୋନ ନଦୀରେ ପ୍ରବଳ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ଯୋଗୁ ନୀଳିଗିରି ଓ ରେମୁଣାର ବେଗୁନିଆ, କାଂଶ, କାଠପୋଲ, କଲ୍ୟାଣପୁର ଆଦି ଗାଁ ବନ୍ୟା ଘେରରେ ରହିଛି ।