ଦର ନିୟନ୍ତ୍ରଣ କରିବାକୁ ଆକ୍ସନ ମୋଡ଼ରେ ଯୋଗାଣ ବିଭାଗ । ଏକ ନମ୍ବର ହାଟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ରହିଛି ଚଢ଼ାଉ । ହାଟରେ ଥିବା ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇ ହୋଡିଂ, ଦରଦାମ ଓ ଷ୍ଟକ ସହ ଆଳୁର ମାନ ଯାଞ୍ଚ କରିଛି ଯୋଗାଣ ବିଭାଗ । ତେବେ ଯଥେଷ୍ଟ ପରିମାଣର ଆଳୁ ମହଜୁଦ ରହିଛି । ଗାଡ଼ି ବି ଆସୁଛି । ଏହା ପରେ ବି ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି । ଦରଦାମର ପୁରୁଣା ଷ୍ଟିକର ଲଗାଇଥିବା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଚଢାଉ କରୁଥିବା ଟିମ୍ । ନିକଟରେ ଯୋଗାଣ ମନ୍ତ୍ରୀ କହିଥିଲେ ଦର ନିୟନ୍ତ୍ରଣ ରହିଛି। କିନ୍ତୁ ଏବେ ବି ବଜାରରେ ଖାଦ୍ୟ ସାମଗ୍ରୀର ଦର ଅଧିକ ରହିଛି।
ଖବର ଅନୁଯାୟୀ, ଗତ କିଛି ହେଲା ରାଜ୍ୟରେ ଆଳୁ ଦର ଦାମ୍ ବୃଦ୍ଧିପାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରେଟ୍ ଚାର୍ଟମଧ୍ୟ ପ୍ରସ୍ତୁତ କରାଯାଇଥିଲା । ହେଲେ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ହଟହଟା ହେଉଛନ୍ତି ଖାଉଟି । ଏବେ ବି ଆଳୁ ଦର ବଜାରରେ କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିତିରେ ମଙ୍ଗଳବାର ସକାଳୁ ସକାଳୁ ଯୋଗାଣ ବିଭାଗର ଏକ ଟିମ୍ ଭୁବନେଶ୍ୱରର ୧ ନମ୍ବର ହାଟରେ ଚଢାଉ କରିଛନ୍ତି ।