ଷ୍ଟାର ଫୁଟବଲ ଖେଳାଳି ତଥା ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲ ଜଗତରୁ ସନ୍ୟାସ ନେଇଛନ୍ତି । ଜୁନ ୬ରେ କୋଲକତାର ସଲ୍ଟ ଲେକ ଷ୍ଟାଡିୟମରେ କୁଏତ ବିପକ୍ଷରେ ସେ ତାଙ୍କର ଅନ୍ତିମ ଅର୍ନ୍ତଜାତୀୟ ମ୍ୟାଚ ଖେଳିବେ ବୋଲି ଛେତ୍ରୀ ଘୋଷଣା କରିଛନ୍ତି । ତେବେ ଛେତ୍ରୀ ୨୦ ବର୍ଷ କ୍ୟାରିୟରରେ ଭାରତ ପାଇଁ ୧୪୫ ମ୍ୟାଚ୍ ଖେଳି ୯୩ ଗୋଲ୍ ସ୍କୋର କରିଛନ୍ତି। ଛେତ୍ରୀ କହିଛନ୍ତି, ଏମିତି ନୁହେଁ ଯେ ମୁଁ କ୍ଲାନ୍ତ ଅନୁଭବ କରୁଥିଲି। ହେଲେ ଯେତେବେଳେ ଏହା ମୋର ଶେଷ ଖେଳ ହେବା ଉଚିତ ବୋଲି ମନେ ହୋଇଥିଲା, ଏନେଇ ବହୁତ ଚିନ୍ତା କରିଥିଲି। ଶେଷରେ ଏହି ନିଷ୍ପତ୍ତିରେ ପହଞ୍ଚିଲି। ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଛେତ୍ରୀ ଏ ବାବଦରେ ଏକ ପୋଷ୍ଟ ଶେୟାର କରିଛନ୍ତି । ନୂଆ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ ଆସିଯାଇଛି ବୋଲି ଉକ୍ତ ଭିଡିଓରେ ଛେତ୍ରୀ ଉଲ୍ଲେଖ କରିଛନ୍ତି ।୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଛେତ୍ରୀ। ମାର୍ଚ୍ଚରେ ଛେତ୍ରୀ ଭାରତ ପାଇଁ ୧୫୦ ଥର ପାଇଁ ଖେଳିବାର ଗୌରବ ଅର୍ଜ କରିଥିଲେ। ଏଯାବତ ସେ ୯୪ ଗୋଲ୍ ସ୍କୋର କରି ଭାରତର ସର୍ବକାଳୀନ ଟପ୍ ସ୍କୋରର୍ ରହିଆସିଛନ୍ତି। ତାଙ୍କ ଅଧିନାୟକତ୍ୱରେ ବର୍ତ୍ତମାନ ଭାରତ ୨୦୨୬ ଫିଫା ବିଶ୍ୱକପ୍ କ୍ୱାଲିଫାୟାର ଗ୍ରୁପ୍ ଏରେ ଦ୍ୱିତୀୟ ସ୍ଥାନରେ ରହିଛି।୩୯ ବର୍ଷୀୟ ଛେତ୍ରୀ ଭାରତ ପାଇଁ ଅନେକ ବଡ଼ ବଡ଼ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ମ୍ୟାଚ, ପ୍ରଥମ ଗୋଲ, ପ୍ରଥମ ଯାତ୍ରା ତାଙ୍କ ବେଶ୍ ନିଆରା ଥିଲା । ଦେଶ ପାଇଁ ଏତେ ମ୍ୟାଚ ଖେଳିବେ ବୋଲି ସେ କେବେ ବି ଭାବି ନଥିଲେ ।