ଭୁବନେଶ୍ୱର : ”ହ୍ୟାପି ବାର୍ଥ ଡେ” ଭୁବନେଶ୍ୱର । ଆଜି ରାଜଧାନୀ ଭୁବନେଶ୍ୱରକୁ ହେଲା ୭୫ବର୍ଷ । କିନ୍ତୁ ପ୍ରକୃତରେ ଏହି ଲିଙ୍ଗରାଜଙ୍କର ମାଟି ୩ହଜାର ବର୍ଷ ପୁରୁଣା । ରାଜଧାନୀ ହେବାବେଳେ ୧୫ ହଜାର ଲୋକସଂଖ୍ୟାରୁ ଆଜି ୧୨ଲକ୍ଷ ଜନସଂଖ୍ୟାରେ ପହଞ୍ଚିଛି ଭୁବନେଶ୍ୱର । କିନ୍ତୁ ଭୁବନେଶ୍ୱରର ଡିଜାଇନର କିଏ ଥଲେ ଆପଣମାନେ ଜାଣିଛନ୍ତି କି ? ପ୍ରକୃତରେ ଏହାକୁ ସହର ଢାଂଚାରେ ଡିଜାଇନ୍ କରିଥିଲେ ଜର୍ମାନୀର ଚିଫ୍ ଆର୍କିଟେକ୍ଟ ଅଟୋ କୋନିସବର୍ଗର୍(Otto Konigsberger) । ମାତ୍ର ୪୦ ହଜାର ଲୋକଙ୍କ ଅନୁସାରେ କରିଥିଲେ ସିଟି ପ୍ଲାନ । ଆଧୁନିକ ଭାରତର ପ୍ରଥମ planned ସିଟି ଥିଲା ଭୁବନେଶ୍ୱର । ଆଉ ଏପ୍ରିଲ ୧୩ ତାରିଖ ୧୯୪୮ରେ ରାଜଧାନୀର ଶିଳାନ୍ୟାସ କଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ।
ଆମ ଇତିହାସରେ ଖୋର୍ଦ୍ଧା ଆଉ କଟକ ଯୋଡିଏ ଏମିତି ସହର। ଯେଉଁଠି ଅନେକ ରାଜତନ୍ତ୍ର ନିଜର ରାଜଧାନୀ ପ୍ରତିଷ୍ଠା କରିଛି। ହେଲେ ସମୟ ବଦଳିବା ସହ ରାଜଧାନୀର କଳେବରକୁ ଦେଖି ଏହାକୁ ସ୍ଥାନାନ୍ତର ପାଇଁ ଚିନ୍ତା ମଧ୍ୟ କରାଯାଇଛି। ବର୍ଷ ୧୯୪୬। କଟକରୁ ରାଜଧାନୀ ସ୍ଥାନାନ୍ତର ପାଇଁ ଯୋଜନା କରନ୍ତି ସରକାର। ଆଉ ଏଥିପାଇଁ କଟକ ଆଉ ଖୋର୍ଦ୍ଧା ମଝାମଝି ଜାଗାଟିଏ ସ୍ଥିର ହୁଏ। ଆମ ଏଇ ଭୁବନେଶ୍ବର। ସେତେବେଳେ ଏ ସହରର ଲୋକସଂଖ୍ୟା ଜମାରୁ ୪୦,୦୦୦। ଏତିକି ଲୋକଙ୍କ ପାଇଁ ରାଜଧାନୀ କରିବାକୁ ପ୍ରସ୍ତୁତ ହୁଏ ମାଷ୍ଟର ପ୍ଲାନ।
ପ୍ରାକୃତିକ ପରିବେଶ ଦୃଷ୍ଟିରୁ ଏକାମ୍ର କ୍ଷେତ୍ରର ଏକ ସ୍ୱତନ୍ତ୍ରତା ଥିଲା । ଆମ୍ବ, ପଣସ, ଜାମୁ, ନିମ୍ବ, କରଞ୍ଜ, ବର, ବେଲ, ଅଶ୍ୱତ୍ଥ, କୋଚିଲା, ବଉଳ, ତମାଳ, ଚମ୍ପା, ଅଶୋକ, ନାଗେଶ୍ୱର, ଅନନ୍ତ ନାଗେଶ୍ୱର, ଉଦୁମ୍ବର ଆଦି ଦେବ ବୃକ୍ଷରେ ଭୁବନେଶ୍ୱର ପରିପୂର୍ଣ୍ଣ ଥିଲା।ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ପ୍ରତୀକ। ୧୯୮୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ଵାରା ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଅନନ୍ୟ ସୃଷ୍ଟି ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ କରାଯାଇଥିଲା।
ଶିକ୍ଷାକୁ ନେଇ ସମୃଦ୍ଧ ଭୂବନେଶ୍ବର। ଉଚ୍ଚ ଶିକ୍ଷା ନିମନ୍ତେ ଉତ୍କଳ ବିଶ୍ବବିଦ୍ୟାଳୟ,ବକ୍ସି ଜଗବନ୍ଧୁ ମହା ବିଦ୍ୟାଳୟ, ରମାଦେବୀ ବିଶ୍ବବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ,ଇଞ୍ଜିନିୟରିଂ କଲେଜ,ସମେତ ବହୁ ଶିକ୍ଷାନୁଷ୍ଠାନ ଅବସ୍ଥିତ ଏବଂ ନନ୍ଦନକାନନ,ବହୁ ପାର୍କ ଆଦି ଅବସ୍ଥିତ। ଓଡ଼ିଶାର ବିଧାନସଭା,ସଚ଼ିବାଳୟ,ପ୍ରାୟ ସମସ୍ତ ବିଭାଗ ର ମୁଖ୍ୟ କାର୍ଯ୍ୟାଳୟ ଆଦି ଅବସ୍ଥିତ। ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସରେ ତା’ର ପୂର୍ବ ଐତିହ୍ୟକୁ ସ୍ମରଣ କରିବା ସହ ଭୂବନେଶ୍ବର କୁ ଆହୁରି ସରସ,ସୁନ୍ଦର କରିବା ଦିଗରେ ପ୍ରତିଜ୍ଞାବଦ୍ଧ ହେବା।