ଶନିବାର ଦିନ ଲସ୍ ଏଞ୍ଜେଲ୍ସ୍ସ୍ଥିତ ବାସଭବନରୁ ସୁପର୍ ହିଟ୍ ଟେଲିଭିଜନ୍ କମେଡି ସିରିଏଲ୍ ‘ଫ୍ରେଣ୍ଡସ୍’ର ଅଭିନେତା ମାଥ୍ୟୁ ପେରିଙ୍କୁ ଗରମପାଣି ପୂର୍ଣ୍ଣ ସ୍ନାନକୁଣ୍ଡରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ଆମେରିକୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି। ନିଜ ବାସଭବନରେ ଥିବା ଗରମପାଣି ଭରା ସ୍ନାନକୁଣ୍ଡରେ ୫୪ ବର୍ଷିୟ ପେରି ଅଚେତ ହୋଇ ପଡ଼ିଥିଲେ ବୋଲି ‘ଲସ୍ ଏଞ୍ଜେଲ୍ସ୍ ଟାଇମ୍ସ୍’କୁ ପୁଲିସ କହିଛି।
ଘଟଣାସ୍ଥଳରୁ କୌଣସି ଡ୍ରଗ୍ ଆଦି ଉଦ୍ଧାର କରାଯାଇ ନ ଥିବାରୁ ‘ଜାକୁଜି’ରେ (ଗରମପାଣି ନିମନ୍ତେ ବ୍ୟବହୃତ ସ୍ନାନକୁଣ୍ଡ) ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଏହା ହତ୍ୟାକାଣ୍ଡ ନୁହେଁ ବୋଲି ମଧ୍ୟ ପୁଲିସ କହିଛି। ୧୯୯୪ରୁ ୨୦୦୪ ପର୍ଯ୍ୟନ୍ତ ୧୦ଟି ସେସନ୍ରେ ପ୍ରସାରିତ ହୋଇଥିବା ଅତ୍ୟନ୍ତ ଜନପ୍ରିୟ ହାସ୍ୟରସାତ୍ମକ ଟେଲିଭିଜନ୍ ଧାରାବାହିକ ‘ଫ୍ରେଣ୍ଡସ୍’ରେ ଚାଣ୍ଡଲର୍ ବିଙ୍ଗ୍ ଚରିତ୍ରରେ ଅଭିନୟ ପାଇଁ ପେରିଙ୍କର ପ୍ରସିଦ୍ଧି ରହିଛି। ସମ୍ପ୍ରତି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିଲା। ଡ୍ରଗ୍ ସେବନ ଯୋଗୁଁ ୨୦୧୮ରେ ତାଙ୍କର ବୃହଦାନ୍ତ (ଅନ୍ତଃନଳୀ) ଫାଟିଯାଇଥିଲା। ସେଥିପାଇଁ ଏକାଧିକ ଥର ଅସ୍ତ୍ରୋପଚାର ଆବଶ୍ୟକ ହୋଇଥିଲା।