ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଯିବା ବେଳେ ବିରୋଧ କରାଯାଇଛି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ଶୁକ୍ରବାର ୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ ଶ୍ରୀ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀକୁ ଯାଉଥିଲେ। ତେବେ ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥରେ ତାଙ୍କୁ ବିରୋଧ କରାଯାଇଛି। ତାଙ୍କ ଗାଡ଼ି ଉପରକୁ ବିଜେଡି କର୍ମୀମାନେ ଅଣ୍ଡା ମାଡ଼ ସହ ପାଣି ବୋତଲ ମଧ୍ୟ ଫିଙ୍ଗିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଦଳୀୟ ଗୁଣ୍ଡାଙ୍କୁ ନେଇ ତାଙ୍କ ଉପରେ ଆକ୍ରମଣ କରାଯାଇଛି ବୋଲି ସେ କହିଛନ୍ତି । ଦୁଇ ଘଣ୍ଟା ହେଲା ରାସ୍ତାରେ ଅଟକି ରହିବା ପରେ ପ୍ରଦୀପ ପାଣିଗ୍ରାହୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କୁ ପୁଲିସ ବାଧା ଦେଇଛି ବୋଲି ସେ କହିଛନ୍ତି । ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାସ୍ତାରେ ଥାଇ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କରିଥିଲେ। ନିଜ ଗାଡ଼ି ଭିତରେ ବସି ରହିବା ଘଟଣା ସଂପର୍କରେ ସେ ମେଲ୍ କରି ସରକାର, ପ୍ରଶାସନ ଏବଂ ଦଳ ଏକାଠି ହୋଇ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ୫-ଟି ସଚିବ ଓ ସରକାରଙ୍କ ଉପରେ ବର୍ଷିଛନ୍ତି।
ତେବେ ବିଧାୟକ ପୂର୍ବରୁ ଏନେଇ ଆଶଙ୍କା କରିଥିଲେ । ଏହାସହ ପ୍ରେସ୍ କନ୍ଫରେନ୍ସ ଜରିଆରେ ଗତକାଲିଠାରୁ ସମସ୍ତଙ୍କୁ ସୂଚନା ଦେଇଥିଲେ । ସେ ସିଧା ସଳଖ କହିଥିଲେ ଯେ, ‘ମୋର ଗଞ୍ଜାମ ଗସ୍ତ ବେଳେ ବିଜେଡି କର୍ମୀଙ୍କ ଦ୍ୱାରା ମୋତେ ବିରୋଧ କରିବାର ଯୋଜନା କରାଯାଇଛି । ଏମିତିକି ମୋତେ ଆକ୍ରମଣ କରିବାର ପ୍ଲାନ୍ ମଧ୍ୟ ରହିଛି । ଏହାସହ ମୋତେ ଅଟକାଇବାକୁ ଚେଷ୍ଟା କରାଯିବ ବୋଲି ମଧ୍ୟ ପ୍ଲାନ୍ ରହିଛି । ମୋତେ ଗଞ୍ଜାମ ଯିବାକୁ ଦେବେ ନାହିଁ ବୋଲି ବିଜେଡି ବିଭିନ୍ନ ସ୍ଥାନରେ ନିଜ କର୍ମୀଙ୍କୁ ରଖି ବିରୋଧ କରିବାର ଯୋଜନା କରିଛି ।’ ତେବେ ଗତକାଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା ଯାହା କହିଥିଲେ ଠିକ୍ ସେହିଭଳି ଘଟଣା ଆଜି ଘଟିଛି । ବିଜେଡି ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । କିଛି ବିଜେଡି କର୍ମୀ ତାଙ୍କ କାର୍ ଆଗକୁ ଦୌଡ଼ି ଆସିବା ସହ ତାଙ୍କ କାର ଉପରେ ମଧ୍ୟ ଚଢ଼ି ଯାଇଥିଲେ । ସେଠାରେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ଉପୁଜିଥିଲା ।