ଭୁବନେଶ୍ୱର/କଟକ: ଓଡିଶାରେ ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି । ସେହିପରି କଟକରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହରେ କଟକ ଏବଂ ଭୁବନେଶ୍ବରରେ ଉଡିଲା ତ୍ରିରଙ୍ଗ ।
ଗାନ୍ଧିମାର୍ଗରେ ଅନୁଷ୍ଠିତ ହୋଇଥିବା ପରେଡରେ ୪୩ କଣ୍ଟିଜେଣ୍ଟ ଯୋଗଦେଇଛନ୍ତି। ଚଳିତ ଥର ପରେଡରେ ନେତୃତ୍ୱ ଯୁବ ଆଇପିଏସ ଭୋଷଲେ ଶୁଭମ ସଞ୍ଜୟ ନେଇଥିଲେ । ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୁଲିସ, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ପରେଡରେ ଅଂଶଗ୍ରହଣ କରିଛନ୍ତି ।
କଟକରେ ପତାକା ଉତ୍ତୋଳନ କରିବା ଅବସରରେ ଅଭିଭାଷଣ ରଖି ବିକଶିତ ଓଡିଶା ପାଇଁ ହାତ ବଢାଇବାକୁ ଆହ୍ବାନ ଦେବା ସହ ଆଜିର ଦିନ କେବଳ ଉତ୍ସବ ନୁହେଁ ଆମ ସମ୍ବିଧାନକୁ ରକ୍ଷା କରିବାର ଦାୟିତ୍ବ ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ୭୬ତମ ସାଧାରଣତନ୍ତ୍ର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଦେବା ସହ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।