ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ଉଭୟ ପକ୍ଷ ଲଗାତାର ଭାବେ ପରସ୍ପରଠାରୁ ପ୍ରତିଶୋଧ ନେଉଛନ୍ତି। ଏସବୁ ଭିତରେ ଆତଙ୍କବାଦୀ ସଂଗଠନ ହମାସ୍ କମାଣ୍ଡର ମହମୁଦ୍ ଅଲ୍-ଜହରଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି। ଯେଉଁଥିରେ ସାରା ବିଶ୍ୱରେ ତାଙ୍କ ସଂଗଠନର ରାଜ୍ ଚାଲିବ ବୋଲି କହୁଥିବା ଦେଖିବାକୁ ମିଳିଛି।ହମାସ୍ କମାଣ୍ଡର କହିଛନ୍ତି, ସାରା ବିଶ୍ୱ ତାଙ୍କ ସଂଗଠନର ଶାସନ, ନିୟମ ଅଧୀନରେ ରହିବ। କୌଣସି ଯିହୁଦୀ କିମ୍ବା ଖ୍ରୀଷ୍ଟିଆନ୍ ଦେଶଦ୍ରୋହୀ ରହିବେ ନାହିଁ। ହମାସ୍ କେବଳ ପାଲେଷ୍ଟାଇନ ନୁହେଁ ସାରା ବିଶ୍ୱକୁ ଆଜାଦୀ ଦେବ। ହମାସ୍ କମାଣ୍ଡର ମହମୁଦ୍ ଅଲ୍-ଜହରଙ୍କ ୧ ମିନିଟ୍ର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଆହୁରି କହିଛନ୍ତି ଯେ, ଇସ୍ରାଏଲ୍ କେବଳ ସେମାନଙ୍କର ପ୍ରାରମ୍ଭିକ ଲକ୍ଷ୍ୟ ଥିବାବେଳେ ସାରା ବିଶ୍ୱରେ ରାଜ୍ କରିବା ସେମାନଙ୍କର ଲକ୍ଷ୍ୟ।ହମାସ୍ କମାଣ୍ଡର ଆହୁରି କହିଛନ୍ତି, ‘ଇସ୍ରାଏଲ୍ କେବଳ ପ୍ରାରମ୍ଭିକ ଲକ୍ଷ୍ୟ। ଆମ ନିୟମରେ ସାରା ବିଶ୍ୱ ଚାଲିବ। ପୃଥିବୀର ମୋଟ୍ ୫୧୦ ମିଲିୟନ ବର୍ଗ କି.ମି. ଅଞ୍ଚଳ ଏପରି ଏକ ବ୍ୟବସ୍ଥା ଅଧୀନକୁ ଆସିବ, ଯେଉଁଠି କୌଣସି ଅନ୍ୟାୟ, ନିର୍ଯାତନା ଦେଖିବାକୁ ମିଳିବ ନାହିଁ।